Latest Odisha News

ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ; ସାଇବର ଥାନାରେ ଏତଲା ଦେଲା ବିଜେପି

ଭୁବନେଶ୍ୱର: ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ ନେଇ ଗିରଫ କରିବା ଦାବିରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ସାଇବର ଥାନାରେ ଏତଲା ଦେଇଛନ୍ତି ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେଡିର ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ନକଲି ଭିଡିଓ ଦେଖାଇ ବିଜେପିକୁ ଭୋଟ ନଦେବା ପାଇଁ କହୁଛନ୍ତି । ଏହା କେବଳ ଆଚରଣ ବିଧିର ଘୋର ଉଲଙ୍ଘନ ନୁହେଁ ବରଂ ଆଦିବାସୀମାନଙ୍କୁ ହିଂସା କରିବା ପାଇଁ ଉସକାଇବାର ଅପଚେଷ୍ଟା । ଜାତୀୟ ସ୍ତରରେ କଂଗ୍ରେସ ଦଳ ଓ ଓଡ଼ିଶାରେ ବିଜେଡି ବର୍ତ୍ତମାନ ଗୋଟିଏ ଡଙ୍ଗାରେ ବସି ଗୃହମନ୍ତ୍ରୀ ଅମିତ ଶାହଙ୍କର ନକଲି ଭିଡିଓ ନେଇ ଅପପ୍ରଚାର କରୁଛନ୍ତି । ଯେଉଁମାନେ ଏଭଳି ଶସ୍ତା ଏବଂ ମନ୍ଦ ଉପାୟରେ ରାଜନୀତି କରିବାକୁ ଯାଇ ଦେଶର ବାତ୍ତାବରଣ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ସେମାନଙ୍କୁ ଗିରଫ କରାଯିବା ଦରକାର ।

ସେ ଆହୁରି କହିଛନ୍ତି ଯେ, ଭୋଟ୍ ବେଳେ ବିଜେଡି ସର୍ବଦା ନୂଆ ନୂଆ କାର୍ଯ୍ୟ କରି ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ କରିଆସୁଛି । ବିଜେଡି ନିର୍ବାଚନ ହାରିବା ଭୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବଦନାମ କରିବାକୁ ପଛାଇନାହିଁ । ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ମିଥ୍ୟା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଏହି ମିଥ୍ୟା ଭିଡିଓକୁ ଆଶ୍ରା କରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଙ୍କ ନିର୍ଦ୍ଦେଶରେ ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ କହିଛନ୍ତି, ଅମିତ ଶାହ ଗର୍ଜନ କରି କହୁଛନ୍ତି ରାଜ୍ୟରେ ଯେଉଁ ସଂରକ୍ଷଣ (କୋଟା) ଅଛି ତାହାକୁ କୁଆଡେ ଉଠାଇଦେବେ ।

ଅମିତ ଶାହଙ୍କ ଏହି ଫେକ୍ ଭିଡିଓ କଂଗ୍ରେସ ତିଆରି କରିଥିଲା ଯାହାକୁ କଂଗ୍ରେସରୁ ଯାଇ ବିଜେଡିରେ ମିଶି ପ୍ରାର୍ଥୀ ହୋଇଥିବା ପ୍ରଦୀପ ମାଝୀ ପ୍ରଚାର ବେଳେ ବ୍ୟବହାର କରିଛନ୍ତି । ନିଜକୁ ଆଦିବାସୀଙ୍କ ପୁଅ କହୁଥିବା ପ୍ରଦୀପ ମାଝୀ କ’ଣ ଫେକ୍ ଭିଡିଓ ଦେଖାଇ ରାଜ୍ୟରେ ହିଂସା କରିବାକୁ ଚାହୁଁଛନ୍ତି କି? ଯେତେବେଳେ ରାଜ୍ୟ ସରକାର ଆଦିବାସୀମାନଙ୍କ ଜମିକୁ ପୁଞ୍ଜୀପତିମାନଙ୍କ ହାତରେ ବିକ୍ରି କରିଦେବା ପାଇଁ କାନୁନ ଆଣିଥିଲେ ସେତେବେଳେ ବିଜେଡିର ସାଂସଦ ପ୍ରାଦୀପ ମାଝୀ କୁଆଡେ ଯାଇଥିଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

Comments are closed.