Latest Odisha News

BREAKING NEWS

କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି ଦୁଇ ଓଡ଼ିଆ, ମିଳିଲା ପରିଚୟ

ଭୁବନେଶ୍ୱର: କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି। ଶେଷ ଖବର ସୁଦ୍ଧା ଏହି ସୂଚନା ହସ୍ତଗତ ହୋଇଛି। ଓଡ଼ିଶାର ଦୁଇ ମୃତକ ହେଲେ ସନ୍ତୋଷ କୁମାର ଗୌଡ଼ ଓ ମହମ୍ମଦ ଜାହୁର। ମିଳିଥିବା ସୂଚନା ଅନୁଯାୟୀ, ମହମ୍ମଦ ଜାହୁର କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ତାରାଡାପାଲିର ବାସିନ୍ଦା। କୁଏତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ମୃତକଙ୍କ ତାଲିକାରେ ଏହି ଦୁଇ ଜଣଙ୍କ ନାମ ଥିବା ଜଣାପଡିଛି।

କୁଏତ ସହରର ଅଲ-ମଙ୍ଗଫ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଗଠିତ ଏକ ୬ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ପୋଷ୍ଟରେ କହିଛନ୍ତି, କୁଏତରେ ଅଗ୍ନିକାଣ୍ଡ ଘଟଣାରେ କୁଏତର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅଲ୍ଲୀ ଅଲ୍ ୟାହ୍ୟାଙ୍କ ସହ କଥା ହୋଇଛନ୍ତି। ଏ ଦିଗରେ କୁଏତ କର୍ତ୍ତୃପକ୍ଷ କରିଥିବା ପ୍ରୟାସ ସମ୍ପର୍କରେ ଅବଗତ କରାଇଥିଲେ। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯାଇ ଦାୟିତ୍ବ ନିର୍ଦ୍ଧାରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ସେପଟେ ଭାରତୀୟଙ୍କ ମରଶରୀର ଫେରାଇ ଆଣିବା ପାଇଁ ଭାରତ ସରକାର ଗୁରୁବାର ରାତିରେ କୁଏତକୁ ଏକ ସାମରିକ ପରିବହନ ବିମାନ ପଠାଇଛନ୍ତି। ଅଧିକାଂଶ ମୃତକ ଭାରତୀୟ କେରଳର ହୋଇଥିବାରୁ ଭାରତୀୟ ବାୟୁସେନାର ସି-୧୩୦ଜେ ପରିବହନ ବିମାନ ଶୁକ୍ରବାର ମୃତଦେହ ଫେରାଇ ଆଣିବ ଏବଂ ଏହା ପ୍ରଥମେ କୋଚିରେ ଅବତରଣ କରିବ ବୋଲି ଦିଲ୍ଲୀର ଅଧିକାରୀମାନେ କହିଛନ୍ତି। ମୃତ ଭାରତୀୟଙ୍କ ମଧ୍ୟରୁ କିଛି ଉତ୍ତର ଭାରତର କିଛି ରାଜ୍ୟରୁ ଆସିଥିବାରୁ ବିମାନଟି ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି।

 

Comments are closed.