Latest Odisha News

BREAKING NEWS

ଚୀନ୍‌ର କାଳ ହେବ ଭାରତର ‘ଜୋରାୱର’

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଅତ୍ୟାଧୁନିକ ହାଲୁକା ଯୁଦ୍ଧ ଟ୍ୟାଙ୍କ ନିର୍ମାଣ କରିଛି ଭାରତ, ଯାହା କି ଉତ୍ତର-ପଶ୍ଚିମ ସୀମାନ୍ତର ହାଇ ଅଲଟିଟ୍ୟୁଡ୍ ବା ଉଚ୍ଚ ସ୍ଥାନରେ ଖୁବ୍ ସହଜରେ ମୁତୟନ ହୋଇ ଶତ୍ରୁପକ୍ଷକୁ ଚ୍ୟାଲେଂଜ କରିବ । ଜୋରାୱର ନାମକ ଏହି ହାଲୁକା ଟ୍ୟାଙ୍କର ପ୍ରଥମ ଝଲକ ସାମନାକୁ ଆସିଛି । ଚୀନର କାଳ ହେବ ଜୋରାବର ଟ୍ୟାଙ୍କ୍ । ଲଦ୍ଦାଖ ଭଳି ହାଇ ଅଲଟିଟ୍ୟୁଡ୍ ଅଂଚଳରେ ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ନିର୍ମାଣ କରାଯାଇଛି ଜୋରାୱର ଟ୍ୟାଙ୍କ୍ । ଜୋରାୱର ଟ୍ୟାଙ୍କର ଓଜନ ମାତ୍ର ୨୫ ଟନ୍ । ଭାରତରେ ବ୍ୟବହୃତ ଟି-୯୦ ଟ୍ୟାଙ୍କ ଓଜନର ଅଧା ହେବ ନୂଆ ଜୋରାୱର ଟ୍ୟାଙ୍କ୍ , ଯାହା କି ଉଚ୍ଚସ୍ଥାନ ଓ ପାହାଡିଆ ଅଂଚଳରେ ସହଜରେ ମୁତୟନ ହୋଇ ଭାରତୀୟ ସେନାର ସହାୟତା କରିବ । ବଡ ଓ ଓଜନିଆ ଟ୍ୟାଙ୍କ୍ ପହଂଚିପାରୁନଥିବା ଅଂଚଳରେ ସହଜରେ ପହଂଚିପାରିବ ଜୋରାୱର । ଉନବିଂଶ ଶତାବ୍ଦୀର ଭାରତର ଜଣେ ସୁନାମଧନ୍ୟ  ସେନାଧିକାରୀ ଡୋଗ୍ରା ଜେନେରାଲ ଜୋରାୱର ସିଂହଙ୍କ ନାମରେ ଏହି ଅତ୍ୟାଧୁନିକ ହାଲୁକା ଟ୍ୟାଙ୍କ ର ନାମକରଣ ହୋଇଛି । ଜୋରାୱର ସିଂହ ଲଦ୍ଦାଖ ଓ ପଶ୍ଚିମ ତିବତରେ ସାମରିକ ଅଭିଯାନର ନେତୃତ୍ୱ ନେଇଥିଲେ ।

ଦେଶର ହାଇ ଅଲଟିଟ୍ୟୁଡ୍ ଓ ଦୁର୍ଗମ ସୀମାନ୍ତରେ ଭାରତୀୟ ସେନା ପାଇଁ ଦୀର୍ଘ ଦିନ ଧରି ହାଲୁରା ଟ୍ୟାଙ୍କ୍‌ର ଆବଶ୍ୟକତା ଅନୁଭୂତ ହେଉଥିଲା । ୨୦୨୦ରେ ଗଲୱାନରେ ରକ୍ତାକ୍ତ ସଂଘର୍ଷ ପରେ ଭାରତୀୟ ସେନା ପାଇଁ ଉଚ୍ଚ ପାହାଡିଆ ଅଂଚଳରେ ଲାଇଟ୍ ଟ୍ୟାଙ୍କ୍ ଦରକାର ଥିଲା । ସେତେବେଳେ ତିବତକୁ ଲାଗିଥିବା ଲଦ୍ଦାଖ ସୀମାରେ ଜେଟିକ୍ୟୁ ଟି-୧୫ ଲାଇଟ୍ ଟ୍ୟାଙ୍କ୍ ମୁତୟନ କରିସାରିଥିଲା ଚୀନ୍ ।   ଉଚ୍ଚ ଓ ପାହାଡିଆ ଜାଗାରେ ଚୀନର କାଉଂଟର ପାଇଁ ହାଲୁକା ଯୁଦ୍ଧ ଟ୍ୟାଙ୍କ୍ ଚାହୁଁଥିଲା ଭାରତୀୟ ସେନା । ଗଲୱାନ ସଂଘର୍ଷ ପରେ ଭାରତ ପାଖରେ ହାଲୁକା ଟ୍ୟାଙ୍କ୍ ନଥିବାରୁ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା କରିବାକୁ ଲଦ୍ଦାଖ ସୀମାରେ ମୁତୟନ ପାଇଁ ଟି-୭୨ ଭଳି ୨୦୦ ଓଜନିଆ ଟ୍ୟାଙ୍କ ଆକାଶମାର୍ଗରେ ସେଠାକୁ ନିଆଯାଇଥିଲା ।

ଉଚ୍ଚଜାଗାରେ ଶୀଘ୍ର ମୁତୟନ ଓ ଚଳପ୍ରଚଳ ହୋଇପାରୁଥିବା ହାଲୁକା ଟ୍ୟାଙ୍କ୍ ପାଇଁ ଭାରତୀୟ ସେନାର ‘ପ୍ରୋଜେକ୍ଟ ଜୋରାୱର’ ପାଇଁ ନିର୍ମିତ ହୋଇଛି ଜୋରାୱର ଟ୍ୟାଙ୍କ୍ । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ -ଡିଆରଡିଓ ଓ ଘରୋଇ କମ୍ପାନୀ ଲାର୍ସନ ଆଣ୍ଡ୍ ଟୁବ୍ରୋ ମିଳିତ ଭାବରେ ଜୋରାୱର ହାଲୁକା ଟ୍ୟାଙ୍କ୍ ବିକଶିତ କରିଛନ୍ତି । ବଡ କଥା ହେଲା ଯେ, ରେକର୍ଡ ଦୁଇ ବର୍ଷ ମଧ୍ୟରେ ନିର୍ମାଣ କରାଯାଇଛି ଜୋରାୱର ଟ୍ୟାଙ୍କ୍ । ସମସ୍ତ ପରୀକ୍ଷଣ ଶେଷ ହେଲା ପରେ ୨୦୨୭ରେ ଜୋରାୱର ଭାରତୀୟ ସେନାରେ ସାମିଲ ହେବ ବୋଲି ଡିଆରଡିଓ ମୁଖ୍ୟ ଡକ୍ଟର ସମୀର କାମତ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ଲଦ୍ଦାଖରେ ଜୋରାୱର ଟ୍ୟାଙ୍କର ପରୀକ୍ଷଣ କରାଯିବ ।

ଚୀନ ସହ ଲାଗିଥିବା ସୀମାରେ ଭାରତୀୟ ସେନା ପକ୍ଷରୁ ଟି-୯୦ ଓ ଟି-୭୨ ଭଳି ଭାରୀ ଟ୍ୟାଙ୍କ ମୁତୟନ କରାଯାଇଛି । କିନ୍ତୁ ଉଚ୍ଚସ୍ଥାନରେ ଏଭଳି ଟ୍ୟାଙ୍କ୍ ସେତେଟା ଅନୁକୂଳ ନୁହେଁ । ଏଗୁଡିକର ଓଜନ ୪୦ରୁ ୫୦ ଟନ୍ ହେବ । ମୁଖ୍ୟତଃ ସମତଳ ଓ ମରୁ ଅଂଚଳରେ ଟି-୯୦ ଓ ଟି-୭୨ ଭଳି ଓଜନିଆ ଟ୍ୟାଙ୍କ ସୁହାଇବ । ଏ ଦୃଷ୍ଟିରୁ ଜୋରାୱର ହାଲୁକା ଟ୍ୟାଙ୍କ୍ ଭାରତର ପ୍ରତିରକ୍ଷା ଗବେଷଣା ବିକାଶ କ୍ଷେତ୍ରରେ ଏକ ମାଇଲଖୁଂଟ ।

Comments are closed.