Latest Odisha News

ପ୍ରଥମଥର ପତାକା ଉଡ଼ାଇ ପ୍ରତିଶ୍ରୁତିବଦ୍ଧ କଥା ଦୋହୋରାଇଲେ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୋହନ ମାଝି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ସେ ଗାନ୍ଧୀମାର୍ଗରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି।

ସମାରୋହରେ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ପାଇକ ବିଦ୍ରୋହରେ ଯୋଦ୍ଧାମାନଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାଧୀନତା ସଂଗ୍ରାମୀ ଆମର ଚିର ନମସ୍ୟ । ଓଡିଶା ଭାରି ସ୍ୱାଭିମାନୀ, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ । ଆମ ବୀର ସଂଗ୍ରେମୀମାନେ ଇଂରେଜଙ୍କୁ ଦୋହଲାଇ ଦେଇଥିଲେ । ଯେତେବେଳେ ଅସ୍ମିତାର କୁଠାରଘାତ ହୋଇଛି, ତାକୁ ଓଡିଆ ଦମନ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ। ବଡ଼ ସ୍ବପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି। ଶ୍ରୀମନ୍ଦିର ୪ ଦ୍ବାର ଖୋଲିଛୁ, ୬୦ଦିନରେ ଓଡ଼ିଆ ଅସ୍ମିତା ପାଣ୍ଠି କରିଛୁ। ଏଥିସହ ଧାନ କ୍ବିଣ୍ଟାଲ ୩୧ଶହ ଟଙ୍କା କରିବା ସହ ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନା ଲାଗୁ କରିବୁ। ଖାଲି ପଡ଼ିଥିବା ଦେଢ଼ ଲକ୍ଷ ପଦବୀ ପୂରଣ କରିବା ସହ ଆଗାମୀ ୫ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ବିକଶିତ କରିବା ପାଇଁ କାମ ଆରମ୍ଭ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହଜାରେ କୋଟି ବ୍ୟୟରେ ୧୨୦ ଏକର ଜମିରେ ଷ୍ଟାଡିଅମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ କିପରି ଓଡିଶାର ଅର୍ଥନୀତିକୁ ଆଗକୁ ବଢାଇ ହେବ ସେନେଇ ମଧ୍ୟ ଅଭିଭାଷଣରେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାର ଅର୍ଥନୀତିକୁ ଆହୁରି ବିକଶିତ କରିବାକୁ ହେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଅର୍ଥନୀତି ୩ ଟ୍ରିଲିୟନ୍ ହେବ । ଭାରତକୁ ବିଶ୍ୱଗୁରୁ କରିବାର ପଥରେ ଆମେ ସହାୟକ ହେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.