Latest Odisha News

BREAKING NEWS

‘ଦାନା’କୁ ନେଇ ଆତଙ୍କିତ ନ ହୋଇ ମୁକାବିଲା କରନ୍ତୁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସିଂହଦେଓ ସମସ୍ତ ଅଧିକାରୀଙ୍କୁ ଆତଙ୍କିତ ନ ହୋଇ ସତର୍କ ତଥା ପ୍ରସ୍ତୁତ ରହିବା ଏବଂ ବାତ୍ୟା ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଯେକୌଣସି ପ୍ରକାର ସମସ୍ୟା ଆସିଲେ ମଧ୍ୟ ତାହାର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି ।

ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦେବା ପାଇଁ କୃଷି ଭବନ ତଥା ସମସ୍ତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଛୁଟି ନ ନେବାକୁ ପରାମର୍ଶ ଦେଇଥିବାବେଳେ ଫସଲ ସମ୍ବନ୍ଧୀୟ ଯେକୌଣସି ପରାମର୍ଶ ପାଇଁ ଚାଷୀମାନେ କୃଷକ ସମୃଦ୍ଧ ହେଲ୍ପଲାଇନ (୧୫୫୩୩୩) ଏବଂ ସୋସିଆଲ ମିଡ଼ିଆର ସହାୟତା ନେବା ପାଇଁ କହିଛନ୍ତି ।

ଫସଲ ସ୍ଥିତି ବିଶେଷ କରି ଅମଳକ୍ଷମ ଧାନ, ମକା, କପା, ମଣ୍ଡିଆ ଓ ରବି ଜାତୀୟ ପନିପରିବା ଚାଷର ସ୍ଥିତି ଓ ଏହାର ସୁରକ୍ଷା ନେଇ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଉପକୂଳ ଅଞ୍ଚଳର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନଙ୍କୁ ନିଜ ଅଞ୍ଚଳରେ ଏହି ସତର୍କତାମୂଳକ ପରାମର୍ଶ ଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ କୁହାଯାଇଥିଲା । ବୈଠକରେ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.