Latest Odisha News

BREAKING NEWS

ମାସ ଆରମ୍ଭରୁ ମହଙ୍ଗା ମାଡ, ୧୮ ଟଙ୍କା ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଶେଷ ହୋଇ ଆସିଲାଣି ବର୍ଷ ୨୦୨୪ । ଆଜିଠୁ ବର୍ଷର ଶେଷ ମାସ ତଥା ଡିସେମ୍ବର ଆରମ୍ଭ ହୋଇଛି । ଆଉ ମାସ ଆରମ୍ଭ ହେଉ ହେଉ ଲୋକଙ୍କୁ ଲାଗିଛି ଝଟକା । ମାସ ଆରମ୍ଭରୁ ଆଜି ପୁଣି ବଢିଛି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ଡିସେମ୍ବର ୧ ତାରିଖରୁ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ବୃଦ୍ଧି ହୋଇଥିବା ନେଇ ଘୋଷଣା କରାଯାଇଛି । କମର୍ସିଆଲ ଦର ୧୮ ଟଙ୍କା ବଢି ୧୮୧୮.୫୯ ଟଙ୍କାରେ ପହଞ୍ଚିଛି । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଆଗକୁ ବଡଦିନ ଏବଂ ନୂଆବର୍ଷ ଆସୁଛି, ଏହାରି ଭିତରେ ଗ୍ୟାସ ଦର ବଢିବା ଖାଉଟିଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇଦେଇଛି ।

ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୧୮.୫୯ ଟଙ୍କା ହୋଇଛି । ସେହିପରି କୋଲକାତାର ୧୯୧୧.୫୦ ରୁ ୧୯୨୭ ଟଙ୍କାକୁ ବୃଦ୍ଧି ହୋଇଛି । ମୁମ୍ବାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ୧୭୫4.୫୦ ରୁ ୧୭୭୧ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ କମର୍ସିଆଲ ଏଲପିଜି ସିଲିଣ୍ଡର ଗ୍ୟାସ ୧୯୬୪.୫୦ ରୁ ୧୯୮୦.୫୦ ଟଙ୍କାରେ ପହଞ୍ଚିଛି ।

ତେବେ ଆଜିଠାରୁ କମର୍ସିଆଲ ସିଲିଣ୍ଡରର ଦାମ୍ ବୃଦ୍ଧି ହୋଇଥିଲେ ହେଁ ଘରୋଇ ସିଲିଣ୍ଡର ଦାମ୍ ନେଇ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ରେଷ୍ଟୁରାଣ୍ଟରେ ଭୋଜନ ଉପରେ ପ୍ରଭାବ ପକାଇପାରେ । ରେଷ୍ଟୁରାଣ୍ଟଗୁଡିକ ସେମାନଙ୍କର ଖାଦ୍ୟ ହାର ବୃଦ୍ଧି କରିପାରନ୍ତି । କହିରଖୁଛୁ ଯେ, ଏହାପୂର୍ବରୁ ଗତ ମାସର ପ୍ରଥମ ତାରିଖ ଅର୍ଥାତ୍ ନଭେମ୍ବର ୧ରେ, ୧୯ କିଲୋଗ୍ରାମ କମର୍ସି‌ଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା ।

Comments are closed.