ଭୁବନେଶ୍ବର: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ମଇଦାନରେ ତିନି ପ୍ରମୁଖ ଦଳ ଏବେ ରଣନୀତି କରୁଛନ୍ତି । ଏଥର ଶାସନ ଭାର କିଏ ମୁଣ୍ଡେଇବ ? ଯାହାକୁ ବେଶୀ ରୋଚକ କରିଛି ପ୍ରମୁଖ ଦଳଙ୍କ ପୋଷ୍ଟ ଓ୍ବାର୍ । ପୂର୍ବରୁ ଦିଲ୍ଲୀରେ ବିଜେପି ଏବଂ ଶାସକ ଦଳ ଆମ ଆଦମୀ ପାର୍ଟି ମଧ୍ୟରେ ପୋଷ୍ଟର ଓ୍ବାର ଦେଖିବାକୁ ମିଳିଥିବା ବେଳେ ନିର୍ବାଚନ ପାଖେଇ ଆସିଥିବାରୁ ଏବେ ଏହା ଜୋର ତେଜିଛି । ପୁଣି ନୂଆ ପୋଷ୍ଟରେ ଆପ ଏବଂ ବିଜେପି ପରସ୍ପରକୁ ନିଶାନା କରୁଥିବାର ଦେଖିବାକୁ ମିଳିଛି ।
ପୁଣି ଏକ ପୋଷ୍ଟରରେ ‘ଆପ୍’ କରିଥିବା ବିଭିନ୍ନ ଘୋଟାଲା ଦର୍ଶାଇ ବିଜେପି ଟାର୍ଗେଟ କରିଥିବାବେଳେ ଏହାର ପାଲଟ ଜବାବ ଦେଇଛି ଆମ ଆଦମୀ ପାର୍ଟୀ । ବିଜେପି ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଲକ୍ଷ୍ୟ କରି ଏକ ପୋଷ୍ଟର ଜାରି କରିଛି, ଯେଉଁଥିରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଦୃଶ୍ୟ ରହିଥିବା ବେଳେ ଏଥିରେ ଲେଖାଅଛି, ଦିଲ୍ଲୀକୁ ବଦବାଦ କରିଦେଇଛି ମାତ୍ର ଏକ ଆପଦା(ବିପର୍ଯ୍ୟୟ) ଗୋଷ୍ଠୀ । ବିଜେପିର ଉକ୍ତ ପୋଷ୍ଟରରେ ଅରବିନ୍ଦ କେଜରିୱାଲଙ୍କୁ ମୁକୁଟ ପିନ୍ଧାଯାଇଥିବା ବେଳେ ତାଙ୍କୁ ହାତରେ ମଦ ଗ୍ଲାସ ଏବଂ ପିନ୍ଧିଥିବା ସୁଟ୍ ପକେଟରେ ମଦ ବୋତଲ ରହିଛି । ଯାହା ବିବାଦୀୟ ମଦ ନୀତି ମାମଲାରେ ଜାମିନ ପରେ ଗତ ବର୍ଷ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ କେଜରିୱାଲଙ୍କ ଇସ୍ତଫାକୁ ବ୍ୟଙ୍ଗତ୍ମକ ଢଙ୍ଗରେ କଟାକ୍ଷ କରିଛି ବିଜେପି । ଖାଲି ସେତିକି ନୁହେଁ ଏଥିରେ କେଜ୍ରିଓ୍ବାଲଙ୍କ ପଛରେ ମଦ ଏବଂ ବିୟର ଦୋକାନ, ପାଣି ଟ୍ୟାଙ୍କର ପାଖରେ ଭିଡ଼, ଦିଲ୍ଲୀ ପ୍ରଦୂଷଣ, ଯମୁନାରେ ବିଷାକ୍ତ ଫେଣ ଏବଂ ଦିଲ୍ଲୀ ବନ୍ୟା ଭଳି ସମସ୍ୟାକୁ ମଧ୍ୟ ପ୍ରତୀକ ଭାବରେ ଚିତ୍ରିତ କରାଯାଇଛି ।
ଅନ୍ୟପଟେ ଆପ ବିଜେପି ନେତାଙ୍କୁ ଟାର୍ଗେଟ କରି ସମାନ ଭାବରେ କଟୁ ପୋଷ୍ଟର ଲଗାଇ ପ୍ରତିଶୋଧ ନେଇଛି । ଆପ ବିଜେପି ନେତା ରମେଶ ବିଧୁରୀଙ୍କୁ ଟାର୍ଗେଟ କରି ଏକ ପୋଷ୍ଟର ଜାରି କରିଛି । ପୋଷ୍ଟରରେ ବିଧୁରୀଙ୍କୁ ଏକ ଚିରା ପୋଷ୍ଟରରୁ ବାହାରୁଥିବାର ଦେଖିବାକୁ ମିଳିଛି । ଯାହାର କ୍ୟାପସନ ରହିଛି, ‘ଫଟା ପୋଷ୍ଟର ନକଲା ଗାଲିବାଜ୍’ ‘ନିର୍ଯ୍ୟାତନାକାରୀ ଦଳର ନିର୍ଯ୍ୟାତନାକାରୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’ । ଯେଉଁଥିରେ ବିଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ସମାଲୋଚନା କରିଛି ଆପ୍ । ଏଥିସହିତ ଦିଲ୍ଲୀର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ତାଙ୍କର ଉପଯୁକ୍ତତା ଉପରେ ପ୍ରଶ୍ନ ଉଠାଇଛି ।
ଏଥିସହିତ ଶାସକ ଦଳ ଆପ୍ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ନେଇ ମଧ୍ୟ ଏକ ପୋଷ୍ଟର ଜାରି କରିଛି, ଯେଉଁଥିରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ, ଅଜୟ ମାକେନ ଏବଂ ଅଳକା ଲାମ୍ବାଙ୍କ ଫଟୋକୁ ଚେସର ଗୋଟି ଭାବେରେ ଦର୍ଶାଯାଇଥିବା ବେଳେ ଅମିତ୍ ଶାହଙ୍କୁ ଚେସ୍ ଖେଳୁଥିବାର ଦୃଶ୍ୟ ରହିଛି । ଆଉ କ୍ୟାପସନରେ ଲେଖାଯାଇଛି, ‘ବିଜେପି ପର୍ ହାର୍ କା ସଙ୍କଟ ଗହରା, କଂଗ୍ରେସ ବନି ବିଜେପି କା ମୋହରା’ ଅର୍ଥାତ୍ ବିଜେପି ଉପରେ ପରାଜୟର ସଙ୍କଟ ଘେରିଥିବା ବେଳେ ଜିତିବା ପାଇଁ କଂଗ୍ରେସକୁ ମୋହରା ବନାଇଛି ବିଜେପି ।
ତେବେ କହିରଖୁଛୁ, ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ୨୦୨୫ ଫେବୃଆରୀ ୫ରେ ହେବ ଭୋଟ ଗ୍ରହଣ । ଏଥିପାଇଁ ମଇଦାନ ତିନି ପ୍ରମୁଖ ଦଳ ବିଜେପି, ଆପ୍ ଏବଂ କଂଗ୍ରେସ ପକ୍ଷରୁ ଜୋର ଦାର୍ ଚାଲିଛି କ୍ୟାମ୍ପେନ୍ । ବିଜେପି ୧୯୯୮ରୁ ଦିଲ୍ଲୀରେ ଶାସନରୁ ବାହାରେ ଅଛି । ୨୦୧୫ରୁ ଦିଲ୍ଲୀରେ ଆପ ଶାସନରେ ରହିଛି । ବିଜେପିକୁ ୨୦୧୫ରେ ୩ ଏବଂ ୨୦୨୦ରେ ମାତ୍ର ୮ ସିଟ୍ ମିଳିଥିଲା । ହେଲେ ଚଳିତ ଥର ଯମୁନା ପ୍ରସଙ୍ଗ ହେଉକି ବିଶୁଦ୍ଧ ପାଣି କି ଦିଲ୍ଲୀ ପ୍ରଦୂଷଣ ସବୁଥିରେ ଅତିଷ୍ଠ ରହିଛନ୍ତି ଦିଲ୍ଲୀବାସୀ । ଯାହା ଆପ ବିରୋଧରେ ବିଜେପକୁ ବଡ ଅସ୍ତ୍ର ଦେଇଛି । କୁହାଯାଇଛି ଏଥର ବିଜେପି ପାଇଁ ବଡ ସୁଯୋଗ ରହିଛି । ଅନ୍ୟପଟେ ଆପ୍ ନିଜର ଭୁଲ୍ ସ୍ବୀକାର କରି ଦିଲ୍ଲୀବାସୀଙ୍କୁ ଆଉ ଏକ ସୁଯୋଗ ପାଇଁ ଅପିଲ୍ କରିଛି । ଆଉ କଂଗ୍ରେସ ମଧ୍ୟ ଇଦାନରେ ତାର ଦୃଢତା ଦେଖାଉଛି । ଯାହା ଏଥରର ଦିଲ୍ଲୀ ନିର୍ବାଚନକୁ ଆଉ ଟିକେ ରୋଚକ କରିଛି ।