Latest Odisha News

BREAKING NEWS

ଓଡ଼ିଶାର ୯୭୦ ଜଣ ତୀର୍ଥଯାତ୍ରୀଙ୍କ ଉତ୍ତରାଖଣ୍ଡ ଯାତ୍ରା; ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂ ଯୋଗେ ବାଲେଶ୍ୱର ଷ୍ଟେସନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆରଟିସି ସହଯୋଗରେ ୨୦୧୬ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏ ପର୍ଯ୍ୟନ୍ତ ୧୨ଟି ତୀର୍ଥଯାତ୍ରୀ ଦଳ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲି ଦେଖିବାର ସୁଯୋଗ ପାଇଛନ୍ତି ।

ଆଜି ବାଲେଶ୍ୱର ଷ୍ଟେସନରୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଯାତ୍ରୀମାନଙ୍କୁ ସହାୟତା ଯୋଗାଇବା ପାଇଁ ୩୦ ଜଣ ଏସକର୍ଟ ଅଧିକାରୀ ମଧ୍ୟ ଯାଇଛନ୍ତି ।

ତୀର୍ଥଯାତ୍ରାରେ ଯାଉଥିବା ଯାତ୍ରୀମାନେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ବାଲେଶ୍ୱର ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ସ୍ଥାନୀୟ ବିଧାୟକମାନେ ଷ୍ଟେସନରେ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ବିଦାୟ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକ ମାନଙ୍କୁ ଯାତ୍ରା ଶୁଭକାମନା ଜଣାଇଥିଲେ ।

ଏଠାରେ ସୂଚନାଯୋଗ୍ୟ, ୨୦୧୬ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୧୨ ହଜାର ବରିଷ୍ଠ ନାଗରିକମାନେ ତୀର୍ଥ ଭ୍ରମଣର ସୁଯୋଗ ପାଇଛନ୍ତି । ୨୦୧୯-୨୦ ବର୍ଷରେ ଆଉ ତିନିଗୋଟି ତୀର୍ଥଯାତ୍ରୀ ଦଳ ବ୍ରହ୍ମପୁରରୁ ରାମେଶ୍ୱର-ମଦୁରାଇ (ଜାନୁଆରୀ ୨୦୨୦), ସମ୍ବଲପୁରରୁ ଆଗ୍ରା-ମଥୁରା-ବୃନ୍ଦାବନ ଫେବୃଆରୀ ୨୦୨୦, ଭୁବନେଶ୍ୱରରୁ ଆଲାହବାଦ-ବନାରସ (ଫେବୃଆରୀ ୨୦୨୦)କୁ ଭ୍ରମଣର ସୁଯୋଗ ପାଇପାରିବେ ।

ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର ଓ ପର୍ଯ୍ୟଟନ ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.