ନୂଆଦିଲ୍ଲୀ: ୪ ଦିନିଆ ଭାରତ ଗସ୍ତରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ପତ୍ନୀ ଉଷା ଓ ୩ ସନ୍ତାନଙ୍କ ସହ ଭାରତ ଆସି ପହଞ୍ଚିଛନ୍ତି । ସୋମବାର ଦିନ ସେ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଏହା ପରେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ । ଭାନ୍ସଙ୍କ ପରିବାର ପାଇଁ ରେଡ୍ କାର୍ପେଟ୍ ବିଛାଯାଇଥିଲା ।
ସେଠାରେ ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ ଶୁଳ୍କ ଲାଗୁ କରିବା ଘୋଷଣା କରିଥିଲେ । ଏହା ଏସୀୟ ବଜାର ଉପରେ ପ୍ରଭାବ ପକାଇପାରେ ବୋଲି ବିଶ୍ୱାସ କରାଯାଉଛି । ତଥାପି, ଆମେରିକା ମଧ୍ୟ ଏହାର ନିଷ୍ପତ୍ତି ଉପରେ ତିନି ମାସ ପାଇଁ ସ୍ଥଗିତ ରଖିଛି । ଏପରି ପରିସ୍ଥିତିରେ, ଭାନ୍ସଙ୍କ ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ଗସ୍ତ ୨ ଦେଶ ମଧ୍ୟରେ ବାଣିଜ୍ୟିକ, ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
ତେବେ ସୋମବାର ସକାଳ ୯ଟା ୪୫ ମିନିଟରେ ତାଙ୍କ ବିମାନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଥିଲା । ତାଙ୍କୁ ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବାଗତ କରିଥିଲେ । ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଭାରତରେ ପହଞ୍ଚିବା ପରେ ଜେଡି ଭାନ୍ସ ନିଜ ପରିବାର ସହ ଅକ୍ଷରଧାମ ମନ୍ଦିର ଦର୍ଶନ କରିଛନ୍ତି ।
ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଭାରତ ସହ ମଧ୍ୟ ସମ୍ପର୍କ ରହିଛି । ଭାନ୍ସଙ୍କ ପତ୍ନୀ ଉଷା ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ଆନ୍ଧ୍ରପ୍ରଦେଶର ତେଲୁଗୁ ପରିବାରରୁ ଆସୁଥିବା ଭାରତୀୟ ଦମ୍ପତି ଲକ୍ଷ୍ମୀ ଓ ରାଧାକ୍ରିଷ୍ଣଙ୍କ ଝିଅ ଉଷା । ପେସାରେ ଉଷା ଜଣେ ଆଇନଜୀବୀ । ଆଇଆଇଟି ମାଡ୍ରାସରେ ପାଠ ଶେଷ କରି ଉଷାଙ୍କ ବାପା ଓ ମାଆ ଆମେରିକାର ସ୍ଥାୟୀ ନିବାସୀ ହୋଇଥିଲେ । ୨୦୧୪ରେ ଜେଡି ଭାନ୍ସଙ୍କ ସହ ହିନ୍ଦୁ ରୀତିନୀତି ସହ ବିବାହ କରିଥିଲେ ଉଷା । ଗତଥର ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଯିବା ସମୟରେ ଭାନ୍ସ ଓ ପରିବାରକୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ।
Comments are closed.