Latest Odisha News

BREAKING NEWS

ଲିବିୟା ଯିବେ ଗାଜାର ୧୦ଲକ୍ଷ ପାଲେଷ୍ଟାଇନ ନାଗରିକ !

ନୂଆଦିଲ୍ଲୀ: ଗାଜାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବଡ଼ ପ୍ଲାନ୍ । ସ୍ଥାନାନ୍ତର ହେବେ ଗାଜାବାସୀ ! ଗାଜାର ୧୦ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ଲିବିୟା ପଠାଇବାକୁ ଯୋଜନା କରୁଛନ୍ତି ଟ୍ରମ୍ପ ପ୍ରଶାସନ । ଏଥିପାଇଁ ଲିବିୟାକୁ ବିଲିୟନ ଡଲାରର ଅଫର ଦିଆଯାଇପାରେ । ୧୦ଲକ୍ଷ ପାଲେଷ୍ଟାଇନ୍ ନାଗରିକଙ୍କୁ ଲିବିୟାକୁ ସ୍ଥାୟୀ ଭାବେ ସ୍ଥାନାନ୍ତର କରିବା ଯୋଜନା ନେଇ ବିଚାର ବିମର୍ଶ କରାଯାଉଥିବା ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ମଧ୍ୟ ଡୋନାଲଡ ଟ୍ରମ୍ପ ଗାଜାର ଲୋକଙ୍କୁ ପଡୋଶୀ ଆରବ ଦେଶକୁ ସ୍ଥାନାନ୍ତର କରିବାକୁ କହିଥିଲେ । ସେତେବେଳେ ଟ୍ରମ୍ପଙ୍କ ବୟାନକୁ ଗାଜା ଓ ହମାସ ସହ ଆରବ ଦେଶ ମଧ୍ୟ ବିରୋଧ କରିଥିଲେ ।

ଗାଜାବାସୀ ଯିବେ ଲିବିୟା !

ଗାଜାର ୧୦ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ଲିବିୟା ସ୍ଥାନାନ୍ତର ନେଇ ଆମେରିକା ଓ ଲିବିୟା ନେତୃତ୍ବ ଆଲୋଚନା କରୁଥିବା ସୂଚନା ମିଳିଛି । ଗାଜାବାସୀଙ୍କୁ ସ୍ଥାନାନ୍ତର କରିବା ବଦଳରେ ଆମେରିକା ଲିବିୟାକୁ ବିଲିୟନ ଡଲାରର ଅର୍ଥ ଦେଇପାରେ । ବର୍ଷ ବର୍ଷ ଧରି ଏହି ଅର୍ଥ ଫ୍ରିଜ ହୋଇଥିଲା । ତେବେ ଏନେଇ ଚୂଡାନ୍ତ ବୁଝାମଣା ହୋଇନଥିବା ବେଳେ ଆଲୋଚନା ନେଇ ଇସ୍ରାଏଲକୁ ସୂଚନା ଦିଆଯାଇଥିବା ଚର୍ଚ୍ଚା ହେଉଛି। ତେବେ ଆମେରିକା ସରକାରଙ୍କ ମୁଖପାତ୍ର ଏଭଳି ଚର୍ଚ୍ଚାକୁ ଭିତ୍ତିହୀନ ବୋଲି କହିଛନ୍ତି । ଏଭଳି କୌଣସି ଚର୍ଚ୍ଚା ହୋଇନଥିବା କୁହାଯାଇଛି । ସେପଟେ ହମାସ ପକ୍ଷରୁ ଏଭଳି ଯୋଜନାକୁ ବିରୋଧ କରାଯାଇଛି । ପାଲେଷ୍ଟାଇନ ନାଗରିକ ସେମାନଙ୍କ ମାତ୍ତୃଭୂମିର ସୁରକ୍ଷା ପାଇଁ ଶେଷ ଯାଏଁ ଲଢିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ଗୃହଯୁଦ୍ଧ ସହ ଯୁଝୁଛି ଲିବିୟା

ନାଟୋ ସମର୍ଥିତ ବିଦ୍ରୋହ ପରେ ୨୦୧୧ରେ ଲିବିୟାରେ ଅରାଜକତା ବ୍ୟାପିଥିଲା। ଏଥିରେ ଲମ୍ବା ସମୟ ଧରି ଶାସନ କରୁଥିବା ଏକଛତ୍ରବାଦୀ ଶାସକ ମୁଅମ୍ମର ଗଦ୍ଦାଫିଙ୍କୁ କ୍ଷମତାରୁ ହଟାଇବା ସହ ତାଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଦେଶ ବିଭାଜିତ ହୋଇଥିଲା । ଦେଶର ପୂର୍ବ ଓ ପଶ୍ଚିମ ଅଂଶକୁ କବଜା କରିଥିଲେ ଦୁଇ ପ୍ରତିଦ୍ବନ୍ଦ୍ବୀ ମିଲିସିଆ ସମୁହ । ଲିବିୟାରେ ଏବେ ଦୁଇ ପ୍ରତିଦ୍ବନ୍ଦ୍ବୀ ସରକାର ଶାସନ କରୁଛନ୍ତି । ପଶ୍ଚିମରେ ଅବଦୁଲ ହାମିଦ ଦବିବେହଙ୍କ ନେତୃତ୍ବାଧୀନ ସରକାର ରହିଥିବା ବେଳେ ପୂର୍ବରେ ଖଲିଫା ହଫତାରଙ୍କ ନେତୃତ୍ବରେ ସରକାର ରହିଛି । ଉଭୟ ସରକାର ନିୟନ୍ତ୍ରଣ ପାଇଁ ସକ୍ରିୟ ଓ ହିଂସାତ୍ମକ ଭାବେ ପରସ୍ପର ସହ ମୁହାଁମୁହିଁ ହେଉଛନ୍ତି । ଲିବିୟାରେ କ୍ଷମତାର ଦୁଇଟି କେନ୍ଦ୍ର ରହିଥିବା ବେଳେ ଗତ ୧୪ବର୍ଷ ହେଲା ରାଜନୈତିକ ଅସ୍ଥିରତା ଓ ଗୃହଯୁଦ୍ଧ ସହ ଯୁଝୁଛି ଲିବିୟା । ଏଭଳି ସ୍ଥିତିରେ ସେଠାରେ ପାଲେଷ୍ଟାଇନ ନାଗରିକଙ୍କୁ କେମିତି ଥଇଥାନ କରାଯିବ, ସେନେଇ ପ୍ରଶ୍ନ ଉଠୁଛି ।

ଗାଜା ଉପରେ ଇସ୍ରାଏଲର ଲଗାତର ହମଲା

ଗାଜାବାସୀଙ୍କୁ ଲିବିୟା ସ୍ଥାନାନ୍ତର ଚର୍ଚ୍ଚା ମଧ୍ୟରେ ଗାଜା ଉପରେ ଲଗାତର ଅକ୍ରମଣ କରୁଛି ଇସ୍ରାଏଲ । ଶୁକ୍ରବାର ଇସ୍ରାଏଲର ଆକ୍ରମଣରେ ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ରହିଛନ୍ତି । ବନ୍ଧକଙ୍କୁ ମୁକ୍ତ କରିବା ନେଇ ହମାସ ଉପରେ ଚାପ ପକାଇବାକୁ ଇସ୍ରାଏଲ୍ ଏହି ଅଭିଯାନ କରୁଥିବା କହିଛି । ଗାଜା ସହ ୟେମେନରେ ମଧ୍ୟ ଆକ୍ରମଣ କରୁଛି ଇସ୍ରାଏଲ୍ । ୟେମେନର ଦୁଇଟି ପୋର୍ଟରେ ହମଲା କରିବା ସହ ଏହାକୁ ହୁତି ଆତଙ୍କବାଦୀ ହତିଆର ସ୍ଥାନାନ୍ତର ପାଇଁ ବ୍ୟବହାର କରୁଥିବା ଇସ୍ରାଏଲ୍ କହିଛି ।

Comments are closed.