ନୂଆଦିଲ୍ଲୀ: ଭାରତ ସହ ଅଶାନ୍ତି ମଧ୍ୟରେ ପାକିସ୍ତାନର ମୁଣ୍ଡବିନ୍ଧା ବଢାଇଛି ବଲୁଚିସ୍ତାନ । ଭାରତ ପାକିସ୍ତାନର ଆତଙ୍କୀ ଅଡ୍ଡା ଉଡାଇ ଦେଇଛି ତ ପାକ୍ ସରକାରଙ୍କୁ ନାକେଦମ୍ କରି ସାରିଲେଣି ବଲୁଚ ବିଦ୍ରୋହୀ । ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବଲୁଚିସ୍ତାନ ଦେଶ ଭାବେ ନିକଟରେ ଘୋଷଣା କରିଛନ୍ତି ବଲୁଚ ନେତା । ଭାରତକୁ ବନ୍ଧୁ ରାଷ୍ଟ୍ର କହିବା ସହ ବଲୁଚିସ୍ତାନକୁ ମାନ୍ୟତା ଦେବାକୁ ବି ଅପିଲ୍ କରିଛନ୍ତି । କୁହାଯାଏ, ଶତ୍ରୁର ଶତ୍ରୁ ମିତ୍ର । ସେ ଦୃଷ୍ଟିରୁ ଏହା ଭାରତ ପାଇଁ ଖରାପ ଡିଲ୍ ନୁହେଁ । ତେବେ ପ୍ରଶ୍ନ ଉଠୁଛି, କାହିଁକି ବଲୁଚିସ୍ତାନ ମାମଲାରେ ସାବଧାନତାର ସହ ଦେଖି ଚାହିଁ ପାଦ ରଖୁଛି ଭାରତ?
କାହିଁକି ଅଲଗା ହେବାକୁ ଚାହୁଁଛନ୍ତି ବଲୋଚ?
ବଲୁଚିସ୍ତାନ ପାକିସ୍ତାନ ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି । ପାକିସ୍ତାନ ବର୍ଷ ବର୍ଷ ଧରି ବଲୁଚିସ୍ତାନ ସହ ସାବତ ପୁଅ ପରି ବ୍ୟବହାର କରିଛି । ପ୍ରାକୃତିକ ସଂପଦରେ ଭରପୂର ହୋଇଥିଲେ ବି ବଲୁଚିସ୍ତାନର ବିକାଶ ପାଇଁ କେବେବି ଆଗ୍ରହ ଦେଖାଇନି ପାକିସ୍ତାନ । ପାକିସ୍ତାନ ରାଜନୀତିରେ ଦଖଲ ରଖିଥିବା ପଞ୍ଜାବୀ ବର୍ଗ ଏହାର ଫାଇଦା ନେଉଥିବା ବେଳେ ଦାରିଦ୍ର୍ୟ ସହ ଯୁଝୁଛି ବଲୁଚିସ୍ତାନ। ବଲୁଚ ବିଦ୍ରୋହୀଙ୍କ ମନରେ ଏହାକୁ ନେଇ ବର୍ଷ ବର୍ଷ ଧରି ଅସନ୍ତୋଷ ରହିଛି । ରାଜନୀତି ହେଉ କି ଅର୍ଥନୀତି, ସବୁ କ୍ଷେତ୍ରରେ ବଲୁଚିସ୍ତାନକୁ ପଛରେ ରଖିଛି ।
କାହିଁକି ବଲୁଚିସ୍ତାନକୁ ସିଧା ସମର୍ଥନ ଦେଉନି ଭାରତ?
ବଲୁଚ ନେତା ଭାରତକୁ ବଲୁଚିସ୍ତାନକୁ ମାନ୍ୟତା ଦେବାକୁ ଅପିଲ୍ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ବଲୁଚ ସ୍ବାଧୀନତା ନେଇ ଅଧିକାରୀକ ବୟାନ ଦେଇନି ଭାରତ । ୧୯୭୧ ଯୁଦ୍ଧରେ ବାଂଲାଦେଶର ସାଥ୍ ଦେଇଥିଲା ଭାରତ । ହେଲେ ବଲୁଚିସ୍ତାନକୁ ନେଇ ସାବଧାନତାର ସହ ପଦକ୍ଷେପ ନେଉଛି । କାରଣ ବଲୁଚିସ୍ତାନକୁ ସମର୍ଥନ କଲେ ଭାରତ ବିରୋଧରେ ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ନେଇ ଅଭିଯୋଗ ଆସିବ । ଫଳରେ କାଶ୍ମୀରକୁ ନେଇ ଭାରତର ଆଭିମୁଖ୍ୟ ଦୁର୍ବଳ ହୋଇପାରେ। କାରଣ କାଶ୍ମୀରକୁ ଭାରତ ଆଭ୍ୟନ୍ତରୀଣ ପ୍ରସଙ୍ଗ କହିବା ସହ ଏଥିରେ ବାହାରୁ କାହାର ହସ୍ତକ୍ଷେପକୁ ଅନୁମୋଦନ କରେନି । ବଲୁଚଙ୍କୁ ସମର୍ଥନ କଲେ ପାକିସ୍ତାନରେ ଚାଲିଥିବା ଅନ୍ୟ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକାରୀ ବି ଭାରତର ସମର୍ଥନ ଚାହିଁବେ । ସେମାନଙ୍କୁ ସମର୍ଥନ କରି ନିଜ ନୈତିକ ଚେହେରା ଦୁର୍ବଳ କରିବାକୁ ଚାହୁଁନି ଭାରତ ।
ଦୋମୁହାଁ ନୀତି ଆପଣାଇବାକୁ ଚାହୁଁନି ଭାରତ
ଅନ୍ତର୍ଜାତୀୟ ନିୟମରେ କୌଣସି ଦେଶର ଅଖଣ୍ଡତା ଉପରେ ଜୋର୍ ଦିଆଯାଏ । ଯଦି ଭାରତ ବଲୁଚ ଭଳି ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ସମର୍ଥନ କରେ, ତେବେ ଏହାକୁ ଅନ୍ତର୍ଜାତୀୟ କୁଟନୀତି କ୍ଷେତ୍ରରେ ଦେଶର ଦୋମୁହାଁ ନୀତି କୁହାଯିବ । ଚୀନ୍ ଭାରତରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଉସୁକାଇବା ମସୁଧାରେ ରହୁଥିବା ବେଳେ ତାକୁ ସୁଯୋଗ ମିଳିଯିବ । ସ୍ବତନ୍ତ୍ର ଦେଶ ଘୋଷଣା ପାଇଁ ଅନ୍ତର୍ଜାତୀୟ ଆଇନ ରହିଛି । ଅଲଗା ଦେଶ ପାଇଁ ସୀମା ନିର୍ଦ୍ଧାରଣ ସହ ସମ୍ବିଧାନ, ପତାକା ସହ ଅନେକ କିଛି ଜରୁରୀ । ବଲୁଚିସ୍ତାନକୁ ସ୍ବତନ୍ତ୍ର ଦେଶ ଘୋଷଣା କରିବାକୁ ବଲୁଚ ନେତା ଅପିଲ୍ କରୁଛନ୍ତି, ତେବେ ଏଥିପାଇଁ ଜାତିସଂଘର ମାନ୍ୟତା ଜରୁରୀ ।
ଭାରତକୁ ବଡ଼ ରଣନୈତିକ ସହଯୋଗୀ ଭାବେ ଦେଖୁଛନ୍ତି ବଲୁଚ ନେତା । ଏହା ପଛରେ ବଡ଼ କାରଣ ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି । ଅନ୍ତର୍ଜାତୀୟସ୍ତରରେ ଭାରତର ଦବଦବା ବଢିବାରେ ଲାଗିଥିବା ବେଳେ ଭାରତ ବଲୁଚିସ୍ତାନ ନେଇ ବଡ଼ ମଞ୍ଚରେ କହିଲେ, ଏହାର କୁଟନୈତିକ ଶକ୍ତି ବଢିବ । ଭାରତ ସିଧା ସଳଖ ବଲୁଚିସ୍ତାନ ଆନ୍ଦୋଳନକୁ ସମର୍ଥନ ନକଲେ ମଧ୍ୟ ସେଠାରେ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗ ଉଠାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବଲୁଚଙ୍କୁ ନେଇ ସମବେଦନା ଦେଖାଇଛନ୍ତି । ଭାରତର ଏଭଳି ସଫ୍ଟ ବାଲାନ୍ସ ଅନ୍ତର୍ଜାତୀୟସ୍ତରରେ ଦେଶର ଇମେଜକୁ ଚମକାଇଛି। ଭାରତ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରି ମଧ୍ୟ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ଆସିଛି ।
Comments are closed.