ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ସାଇବର କମ୍ପ୍ଲେକ୍ସ ଠାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ “ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା” ସମ୍ପର୍କିତ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାକୁ ରାଜ୍ୟର ସମସ୍ତ ରେଞ୍ଜ ଏବଂ ଜିଲ୍ଲା ସ୍ତରରେ “ସାଇବର ଅପରାଧ ତଦନ୍ତ” ସମ୍ପର୍କିତ କର୍ମଶାଳାର ଆୟୋଜନ କରାଯିବ ଏବଂ ଏଥିରେ କନଷ୍ଟେବଳ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଅଧିକାରୀମାନେ ଅଂଶଗ୍ରହଣ କରିବେ । ଅଳ୍ପ ସମୟ ମଧ୍ୟରେ ଅଧିକାରୀଙ୍କୁ ସାଇବର ଅପରାଧର ସଠିକ ତଦନ୍ତ ଏବଂ ନିଜର ଦକ୍ଷତା ପ୍ରତିପାଦିନ କରିବାରେ ଏହି କର୍ମଶାଳା ସେମାନଙ୍କୁ ବିଶେଷ ସହାୟକ ହେବ ବୋଲି ଡିଜିପି ଖୁରାନିଆ କହିଛନ୍ତି ।
ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ଵାରା ଅଦୃଶ୍ୟ ଅପରାଧୀଙ୍କୁ ମୁକାବିଲା କରିବାକୁ ହେଲେ ପୋଲିସକୁ ନିଜର ଦକ୍ଷତା ବିକାଶ ଏବଂ ନିରନ୍ତର ତାଲିମ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କର୍ମଶାଳା ଆୟୋଜନ କରାଯିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି ।
ପ୍ରଯୁକ୍ତିବିଦ୍ୟାର ବିକାଶ ହେବା ସହ ଆମ ଦୈନନ୍ଦିନ ଜୀବନରେ ସାଇବର ଅପରାଧୀଙ୍କ ହସ୍ତକ୍ଷେପ ବଢ଼ିବାରେ ଲାଗିଛି । ଅନଲାଇନରେ ପୁଞ୍ଜି ନିବେଶ, ଆର୍ଥିକ ଠକେଇ, ସାଧାରଣଲୋକଙ୍କ ପରିଚୟ ଚୋରି, ଡିଜିଟାଲ ଗିରଫ, ଶିଶୁ ତଥା ବୟସ୍କ ବ୍ୟକ୍ତିଙ୍କୁ ଶୋଷଣ ଭଳି ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏଭଳି ଅପରାଧକୁ ରୋକିବାକୁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟ ସରକାର ସାରା ରାଜ୍ୟରେ 20ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଥାନା ଖୋଲିବାକୁ ଅନୁମୋଦନ କରିଛନ୍ତି । ସାଇବର ଅପରାଧ ରୋକିବାକୁ ଏହି ଥାନା ଗୁଡିକ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି ।
ଏହା ବ୍ୟତୀତ ଭୁବନେଶ୍ୱରଠାରେ ଓଡିଶା ସାଇବର କମାଣ୍ଡ ସେଣ୍ଟର ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଡିଜିପି କହିଥିଲେ । ସାଇବର ଅପରାଧ ନିୟନ୍ତ୍ରଣ, ଚିହ୍ନଟ ଏବଂ ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ପ୍ରଦାନ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଏହି ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇବ ବୋଲି ଡିଜିପି କହିଥିଲେ ।
ସାଇବର ଅପରାଧକୁ ମୁକାବିଲା କରିବାକୁ ହେଲେ ଜ୍ଞାନ, ଦକ୍ଷତା ଏବଂ ତଦନ୍ତ କୌଶଳକୁ ସଶକ୍ତ କରିବାର ଆବଶ୍ୟକତା ରହିଛି ଏବଂ ଏହାକୁ କାର୍ଯ୍ୟ କ୍ଷେତ୍ରରେ ସଠିକ ବିନିଯୋଗ କରିବାକୁ କର୍ମଶାଳାରେ ସାମିଲ ହୋଇଥିବା ଅଧିକାରୀଙ୍କୁ ଡିଜିପି ଉପଦେଶ ଦେଇଥିଲେ ।
ଏକ ନୂତନ ଆତ୍ମବିଶ୍ୱାସ ଏବଂ ଦକ୍ଷତା ସହିତ ସାଇବର ଅପରାଧ ବିରୋଧରେ ଲଢ଼ି ଓଡ଼ିଶାବାସୀଙ୍କ ସେବା କରିବାକୁ ଡ଼ିଜିପି ଆହ୍ୱାନ ଦେଇଛନ୍ତି ।
Comments are closed.