ନୂଆଦିଲ୍ଲୀ: ଭାରତ ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ଏବଂ ୪ ଦିନିଆ ସଂଘର୍ଷ ପରେ, ଏବେ ଭାରତର ପିଓକେ ପୁନଃ ଅକ୍ତିଆର ପ୍ରୟାସ ଆରମ୍ଭ ହୋଇଛି । ଏହାରି ଭିତରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ବଡ ଘୋଷଣା କରିଛନ୍ତି । ଯାହା ଏବେ ପିଓକେ ଫେରି ପାଇବାର ଏକ ବଡ ସୁଯୋଗ ଭାବେ ଉଭା ହୋଇଛି । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୭୨ ମସିହାରେ ହୋଇଥିବା ସିମଲା ଚୁକ୍ତିନାମା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇଯାଇଛି ବୋଲି ଘୋଷଣା କରିଛନ୍ତି । ଯାହା ଭାରତ ପାଇଁ ବଡ ଲାଭ ଦେଇପାରେ ବୋଲି କୁହାଯାଉଛି ।
କ’ଣ କହିଲେ ପାକିସ୍ତାନ ମନ୍ତ୍ରୀ?
ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିମଲା ଚୁକ୍ତିନାମା କେବଳ ଶେଷ ହୋଇନାହିଁ, ବରଂ ଏହି ଚୁକ୍ତିନାମା ଏବେ ଏକ ଡେଡ୍ ଡକ୍ୟୁମେଣ୍ଟ । କେବଳ ଏତିକି ନୁହେଁ, ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ପୂର୍ବ ପରି ଏବଂ ନିୟନ୍ତ୍ରଣ ରେଖା (ଏଲଓସି) କୁ ଏବେ ଯୁଦ୍ଧବିରତି ରେଖା ଭାବରେ ବିବେଚନା କରାଯିବା ଉଚିତ ବୋଲି ସେ କହିଛନ୍ତି । ଏହା ସହିତ, ସିମଲା ଚୁକ୍ତିନାମା ସମାପ୍ତ ହୋଇଥିବା ଘୋଷଣା କରି, ଏବେ ପାକିସ୍ତାନ ଦ୍ୱିପାକ୍ଷିକ ଭାବରେ ନୁହେଁ ବରଂ ବହୁପାକ୍ଷିକ ଏବଂ ଆନ୍ତର୍ଜାତୀୟ ଭାବରେ ଭାରତ-ପାକିସ୍ତାନ ବିବାଦ ଉଠାଇପାରିବ ବୋଲି ମତ ରଖିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ।
ଭାରତ ପାଇଁ ବଡ ସୁଯୋଗ
ତେବେ ୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ, ଭାରତ ସିମଲା ଜଳ ଚୁକ୍ତିନାମାକୁ ବନ୍ଦ କରିଦେଇଥିଲା, ଯାହା ପରେ ପାକିସ୍ତାନ ସେତେବେଳେ ସିମଲା ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା । କିନ୍ତୁ ଏବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସମ୍ପ୍ରତି ବିବୃତ୍ତିରେ କହିଛନ୍ତି ଯେ ସିମଲା ଚୁକ୍ତିନାମା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇଯାଇଛି । ହେଲେ ନିର୍ବୁଦ୍ଧିଆ ପାକିସ୍ତାନର ଏହା ବୁଝିବା ବାହାରେ ଯେ, ସିମଲା ଚୁକ୍ତିନାମା ସମାପ୍ତ କରିବାର ଘୋଷଣା ପାକିସ୍ତାନ ଉପରେ ହିଁ ସବୁଠାରୁ ଖରାପ ପ୍ରଭାବ ପକାଇପାରେ । କାରଣ ୧୯୭୧ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ, ପାକିସ୍ତାନ କାଶ୍ମୀରର ଚୁମ୍ବ ସହରକୁ କବଜା କରିଥିଲା, ଯାହା ସ୍ୱାଧୀନତା ପରଠାରୁ ଭାରତର ଏକ ଅଂଶ ଥିଲା । ୧୯୭୨ ମସିହାରେ ହୋଇଥିବା ଶିମଲା ଚୁକ୍ତିନାମା ଅନୁଯାୟୀ, ଏହି ସହର ଉପରେ ପାକିସ୍ତାନର ନିୟନ୍ତ୍ରଣ ବଜାୟ ରହିଥିଲା । ହେଲେ ଏବେ ଏହି ଚୁକ୍ତି ସମାପ୍ତ ହେବା ପରେ ଭାରତ ପୁଣି ଥରେ ଚୁମ୍ବ ସହର ଉପରେ ନିଜର ଆଧିପତ୍ୟ ଜାହିର କରିପାରି ।
କାହିଁକି ଗୁରୁତ୍ବପୂର୍ଣ୍ଣ ଚୁମ୍ବ?
ସୁରକ୍ଷା ଦୃଷ୍ଟିକୋଣରୁ ଚୁମ୍ବ ସେକ୍ଟର ବହୁତ ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ଅନୁଯାୟୀ, ଚୁମ୍ବ ମଧ୍ୟ ଭାରତର ଏକ ଅଂଶ ଥିଲା, କିନ୍ତୁ ୧୯୬୫ ମସିହାରେ ପାକିସ୍ତାନ ଚୁମ୍ବକୁ କବଜା କରିଥିଲା। ଯୁଦ୍ଧ ପରେ, ଚୁମ୍ବ ପୁଣି ଥରେ ଭାରତ ନିୟନ୍ତ୍ରଣକୁ ଆସିଥିଲା, କିନ୍ତୁ ୧୯୭୧ ମସିହାରେ ପାକିସ୍ତାନ ପୁଣି ଥରେ ଚୁମ୍ବକୁ କବଜା କରିନେଇଥିଲା ଏବଂ ଏଥର, ୧୯୭୨ ମସିହାରେ ହୋଇଥିବା ସିମଲା ଚୁକ୍ତିନାମା ଅନୁଯାୟୀ, ପାକିସ୍ତାନ ଏହା ଉପରେ ନିୟନ୍ତ୍ରଣ ବଜାୟ ରଖିଲା । ପାକିସ୍ତାନ ମଧ୍ୟ ଚୁମ୍ବର ନାମ ପରିବର୍ତ୍ତନ କରି ଇଫତିକାରାବାଦ ରଖିଥିଲା ଏବଂ ପାକିସ୍ତାନ ଏହାକୁ କବଜା କରିବା ପରେ ଚୁମ୍ବରେ ରହୁଥିବା ପରିବାରମାନେ ଭାରତକୁ ଚାଲିଯାଇଥିଲେ । ଆଜି ଚୁମ୍ବ ପାକ୍ ଅଧିକୃତ କାଶ୍ମୀରର ଏକ ଅଂଶ, କିନ୍ତୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଯେଉଁଭଳି ଭାବରେ ଦାବି କରିଛନ୍ତି ଯେ ୧୯୭୨ ସିମଲା ଚୁକ୍ତିନାମା ଶେଷ ହୋଇଯାଇଛି ଏବଂ ଏହା ଏକ ମୃତ ଦଲିଲ୍, ତାହା ଏବେ ଭାରତୀୟ ସେନା ପାଖରେ ଚୁମ୍ବକୁ ପୁଣି ଥରେ ଭାରତ ସହିତ ମିଶାଇବାର ବିକଳ୍ପ ପାଇଁ ବାଟ ଫିଟାଇଛି । ୧୯୭୨ ସିମଲା ଚୁକ୍ତିନାମାରେ, ଭାରତ ଚୋରବଟ୍ ଉପତ୍ୟକାର ୮୮୩ ବର୍ଗ କିଲୋମିଟର ଜମି ଏବଂ ମୋଟ ୪ଟି ଗାଁ ପାଇଥିଲା, ଯାହା ଆଜି ଲେହ-ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ଏକ ଅଂଶ । କିନ୍ତୁ ଯଦି ପୁଣି ସେନା ଏହ ସେକ୍ଟରକୁ ଅଧିକୃତ କରେ, ତେବେ ଏହା ପିଓକେ ବ୍ୟାକ୍ ପ୍ରସଙ୍ଗରେ ଏକ ବଡ ପଦକ୍ଷେପ ହେବ ।
Comments are closed.