ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ମାସ ୧୨ କିମ୍ବା ୧୩ରେ ମଣିପୁର ଗସ୍ତ ନେଇ ଯୋଜନା ରହିଛି। ଏଠାରେ ମେ ୨୦୨୩ ଠାରୁ କୁକି-ମେଇତେଇ ମଧ୍ୟରେ ଚାଲିଥିବା ହିଂସା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇପାରେ।
ତେବେ ସେ ସେପ୍ଟେମ୍ବର ୧୩ ରେ ମିଜୋରାମ ଗସ୍ତ ସହିତ ମଣିପୁର ମଧ୍ୟ ଯାଇପାରନ୍ତି। ବହୁ ଦିନ ଧରି ଚାଲିଥିବା ହିଂସା କାଣ୍ଡ କୁ ସରକାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଓ ମଣିପୁର ଗସ୍ତ ରେ ନ ଯାଇଥିବାରୁ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା ମଧ୍ୟ କରିଆସୁଛନ୍ତି।
ମୋଦି ମଣିପୁରରେ ପ୍ରାୟ ଚାରି ଘଣ୍ଟା ବିତାଇବା ନେଇ ସୂଚନା ମିଳିଛି। ଏହି ସମୟରେ ସେ ମେଇତେଇ ଏବଂ କୁକି ବହୁଳ ଅଞ୍ଚଳ ପରିଦର୍ଶନ କରିବେ।ପ୍ରଧାନମନ୍ତ୍ରୀ ଙ୍କ ମିଜୋରାମ ଗସ୍ତ ସ୍ଥିର ହୋଇସାରିଥିବା ବେଳେ ମଣିପୁର ଗସ୍ତ ପାଇଁ ଏବେ ମଧ୍ୟ ଆଲୋଚନା ଚାଲିଥିବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ହିଂସା ପ୍ରଭାବିତ ଅଞ୍ଚଳରେ ଶାନ୍ତି ଏବଂ ବିଶ୍ୱାସ ଫେରାଇ ଆଣିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ବୋଲି ମଧ୍ୟ କୁହାଯାଇଛି।
ମୋଦି ମିଜୋରାମରେ ୫୧.୩୮କିଲୋମିଟର ଲମ୍ବ ବୈରାବି-ସାଇରାଙ୍ଗ ରେଳ ଲାଇନ ଉଦଘାଟନ କରିବେ ଓ ଏହା ବାଂଲାଦେଶ-ମିଆଁମାର ସୀମା ନିକଟରେ ଅବସ୍ଥିତ ଥିବା ନେଇ ରିପୋର୍ଟ ରୁ ଜଣାପଡ଼ିଛି।ତେବେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ମିଜୋରାମକୁ ରେଳ ନେଟୱାର୍କ ସହିତ ସଂଯୋଗ କରାଯିବ। ଏହା ଆଇଜଲକୁ ଆସାମର ସିଲଚର ଏବଂ ଦେଶର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରିବ ଓ ଏଥିରେ ୪୮ ଟି ସୁଡ଼ଙ୍ଗ ଏବଂ ୧୫୦ରୁ ଅଧିକ ସେତୁ ରହିଛି ଯେଉଁଥିରେ ୧୦୪ ମିଟର ଉଚ୍ଚ ଏକ ସେତୁ ଅନ୍ତର୍ଭୁକ୍ତ ରହିଛି। ତାହା କୁତୁବମୀନାର ଠାରୁ ମଧ୍ୟ ୪୨ ମିଟର ଉଚ୍ଚ ଥିବା ନେଇ ଜଣାପଡ଼ିଛି।
ମଣିପୁରରେ ଗତ କିଛି ମାସ ମଧ୍ୟରେ ପରିସ୍ଥିତି ଶାନ୍ତ ହୋଇଛି। ସେଠାରେ ମେ ୨୦୨୩ ରେ ଆରମ୍ଭ ହୋଇଥିବା ହିଂସାରେ ୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ହିଂସା ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଫେବୃଆରୀ ୯ ରେ ଇସ୍ତଫା ଦେଇଥିଲେ। ଏହା ପରେ, ଫେବୃଆରୀ ୧୩ ରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।
Comments are closed.