Latest Odisha News

BREAKING NEWS

ବିଜେଡି ପ୍ରତିଷ୍ଠା ଦିବସରେ ନବୀନ କରିବେ କି ବଡ଼ ଘୋଷଣା?

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ପରବର୍ତ୍ତୀ ନେତା କିଏ ହେବେ? ଏ ପ୍ରଶ୍ନକୁ ନେଇ ଏବେ ଦଳ ଭିତରେ ଓ ବାହାରେ ଜୋର୍‌ ଧରିଛି ଚର୍ଚ୍ଚା। ତେବେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ରବିବାର ସ୍ପଷ୍ଟ କହିଛନ୍ତି, ନବୀନ ପଟ୍ଟନାୟକ ନିଜେ ଘୋଷଣା ନକଲା ଯାଏଁ କିଛି ନିଶ୍ଚିତ ହେବ ନାହିଁ।

ମିଡ଼ିଆର ପ୍ରଶ୍ନକୁ ଉତ୍ତର ଦେଇ ଦେବୀ ମିଶ୍ର କହିଛନ୍ତି, ମିଡିଆରେ ଅନେକ ଅନୁମାନ କରାଯାଉଛି। ଯଦି ଘୋଷଣା ହେବ, ନବୀନ ନିଜେ କହିଦେବେ। ତା’ପୂର୍ବରୁ ମୁଁ ଜ୍ୟୋତିଷୀ ନୁହେଁ।

ଡିସେମ୍ବର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ। ଏହି ଦିନ ନବୀନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏଥର ସବୁଠି ସୁଜାତା ଆର୍‌. କାର୍ତ୍ତିକେୟନଙ୍କ ନାମ ଉଠୁଛି। ପୂର୍ବତନ ଆଇଏଏସ୍‌ ଅଫିସର ତଥା ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ନବୀନ ଦାୟିତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୨୦୨୪ ନିର୍ବାଚନରେ ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ବିଦ୍ରୋହ ହୋଇଥିଲା। ପରାଜୟର କାରଣ ମଧ୍ୟ ତାଙ୍କୁ କୁହାଗଲା। ତେଣୁ ସୁଜାତାଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ଅନେକ ନେତା ଓ କର୍ମୀଙ୍କ ମନରେ ପ୍ରଶ୍ନବାଚୀ ରହିଛି।

ଯଦିଓ ନୂଆପଡ଼ା ଉପନିର୍ବାଚନରେ ପାଣ୍ଡିଆନ ଆଖପାଖପେ ନଥିଲେ ଏବଂ ନବୀନ ଅନ୍ୟ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ ବିଜେଡି ତୃତୀୟ ସ୍ଥାନକୁ ଖସିଯାଇଛି। ଏହାପରେ ବିଦ୍ରୋହୀ ନେତାମାନେ ଚୁପ୍‌ ହୋଇଯାଇଛନ୍ତି। ଏହାକୁ ନେଇ ସୁଜାତାଙ୍କ ନାମ ଆହୁରି ବେଶି ଜୋର୍‌ ଧରିଛି।

ଦଳର ଅନ୍ୟ ଜଣେ ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ କହିଛନ୍ତି, “ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ, ତାହା ଦଳ ଓ ରାଜ୍ୟର ହିତରେ ହେବ।” ଏବେ ସବୁ ନଜର ଡିସେମ୍ବର ୨୬ ଉପରେ। ନବୀନ କ’ଣ ଘୋଷଣା କରିବେ?

Comments are closed.