ମାଲକାନଗିରି: ଜିଲ୍ଲାରେ ସ୍ଥଗିତ ରହିଲା ‘ମାଲ୍ୟବନ୍ତ ମହୋତ୍ସବ’। ମାଲକାନଗିରିରେ ବଢ଼ିଲା କଟକଣା। ବହୁ ପ୍ରସିଦ୍ଧ ମାଲ୍ୟବନ୍ତ ମହୋତ୍ସବକୁ ସ୍ଥଗିତ ରଖିଛି ଜିଲ୍ଲା ପ୍ରଶାସନ। ୧୪ରୁ ୧୮ ପର୍ଯ୍ୟନ୍ତ ହେବାକୁ ଥିବା ‘ମାଲ୍ୟବନ୍ତ ମହୋତ୍ସବ’କୁ ଏବେ ପାଇଁ ରୋକା ଯାଇଛି। ତାସହ ଇଣ୍ଟରନେଟ୍ କଟକଣାକୁ ବଢ଼ାଇ ଦିଆଯାଇଛି। ଆଉ ୨୪ ଘଣ୍ଟା ଅର୍ଥାତ ଗତକାଲି ରାତି ୧୨ଟାରୁ ଆଜି ରାତି ୧୨ ପର୍ଯ୍ୟନ୍ତ କଟକଣା ବଢ଼ିଛି।
ଜିଲ୍ଲାରେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଜିଲାସ୍ତରୀୟ ମହୋତ୍ସବକୁ ଆସନ୍ତା ଜାନୁଆରୀ ମାସକୁ ଘୁଞ୍ଚାଯାଇଛି। ଜିଲାରେ ସ୍ଥିତିରେ ସୁଧାର ଆସିବା ପରେ ମହୋତ୍ସବ ପାଳନ ପାଇଁ ଆସନ୍ତା ଜାନୁଆରୀ ମାସରେ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ପ୍ରକାଶ ଯେ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରଥମେ ଜିଲା ପ୍ରଶାସନ ସହ ଆଲୋଚନା କରିଥିଲେ।
ଏମ୍ଭି-୨୬ ଗ୍ରାମରେ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ। ବୈଠକରେ ଜିଲା ଆଦିବାସୀ ସଂଘ ଓ ଜିଲା ବଙ୍ଗାଳି ସମାଜ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ଜିଲାରେ ପୂର୍ବଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ସିଂଦେଓ ଆହ୍ବାନ ଦେଇଛନ୍ତି। ସେହିପରି ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବାକୁ ଉପ ମୁଖ୍ୟମନ୍ତ୍ରୀ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ମାଲକାନାଗିରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏମ.ଭି/୨୬ ଓ ରାଖାଲଗୁଡ଼ା ଗାଁ ମୁଖିଆଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଳାପାଳ ସୋମେଶ କୁମାର ଉପାଧ୍ୟାୟ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡ. କନୱର ଵିଶାଲ ସିଂହ, ଏସ.ପି ବିନୋଦ ପାଟିଲ. ଏଚ ଓ ମାଲକାନାଗିରି ବିଧାୟକ ନରସିଂହ ମାଡକାମୀଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତ ଥିଲେ। ଉଭୟ ପକ୍ଷ ମଧ୍ୟରେ ଆପୋସ ଆଲୋଚନା ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସହମତି ହୋଇଛି।
ଖୁବଶୀଘ୍ର ଉଭୟ ଗାଁର ୧୦ ଜଣ ଲେଖାଏଁଙ୍କୁ ନେଇ କୋର କମିଟି ଗଠନ କରାଯାଇ ଶାନ୍ତି ଫେରାଇ ଅଣାଯିବ ବୋଲି ସହମତି ପ୍ରକାଶ ପାଇଛି। ପୂର୍ବ ଭଳି ଭାଇଚାରା ବଜାୟ ରହିବ। ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରଠାରୁ ଦୁଇ ଗାଁ ରାଖାଲଗୁଡ଼ା ଓ MV 26 ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏମଭି-୨୬ ଗାଁର ୧୬୩ ଘର ଜଳିଯାଇଛି । ସୁରକ୍ଷା ଦୃଷ୍ଟିରୁ ଗାଁରେ ଏବେ CCTV କ୍ୟାମେରା ଲଗାଯାଇଛି । ମାଲକାନଗିରି ଜିଲ୍ଲାରେ ଆଜି ଦିନ ୧୨ଟା ଯାଏ ଇଣ୍ଟରନେଟ କଟକଣା ଜାରି ରହିବ ।