Latest Odisha News

BREAKING NEWS

ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷା ଉଷା ପାଢୀ ଭୁବନେଶ୍ୱରରେ ଆୟୋଜିତ ଗ୍ଲୋବାଲ୍ ବ୍ଲୁ ଇକୋନୋମି ସମିଟ୍–୨୦୨୬ ଅବସରରେ ଏହାକୁ ଉନ୍ମୋଚନ କରିଛନ୍ତି । ଏହା ମାଧ୍ୟମରେ ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ନବସୃଜନ ଓ ଉପକୂଳବର୍ତ୍ତୀ ଅଞ୍ଚଳର ସମୃଦ୍ଧିକୁ ନୂତନ ଗତି ଦେବା ଲକ୍ଷ୍ୟ ରହିଛି ।

ରାଜ୍ୟର ୪୮୦ କିଲୋମିଟରରୁ ଅଧିକ ଦୀର୍ଘ ଉପକୂଳରେଖା ଓଡ଼ିଶାକୁ ବ୍ଲୁ ଇକୋନୋମି କ୍ଷେତ୍ରରେ ବିଶେଷ ରଣନୈତିକ ସୁବିଧା ପ୍ରଦାନ କରୁଥିବା କଥା ଉଲ୍ଲେଖ କରି ଶ୍ରୀମତୀ ପାଢୀ କହିଥିଲେ ଯେ, ଏହି ସମ୍ଭାବନାକୁ ସ୍ଥାୟୀ ଓ ପରିବେଶ–ସମନ୍ୱିତ ଉନ୍ନୟନରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

ଏହି ରୋଡମ୍ୟାପ୍‌ର କେନ୍ଦ୍ରବିନ୍ଦୁ ହେଉଛି ‘ପୋର୍ଟ–ଲେଡ୍ ଅର୍ବାନାଇଜେସନ୍’ ରଣନୀତି। ଏହା ଅନୁଯାୟୀ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରକୁ କେନ୍ଦ୍ର କରି ବ୍ଲୁ ଇକୋନୋମି ଇଣ୍ଡଷ୍ଟ୍ରିଆଲ୍ ହବ୍ ଗଢ଼ିଉଠିବ, ଯାହା ସାମୁଦ୍ରିକ ବାୟୋଟେକ୍ନୋଲୋଜି, ଗ୍ରୀନ୍ ସିପିଂ ଓ କୃତ୍ରିମ ବୁଦ୍ଧିମତା ଆଧାରିତ ସାମୁଦ୍ରିକ ପରିଚାଳନା ଭଳି ଉଦୀୟମାନ କ୍ଷେତ୍ରରେ ନିବେଶ ଓ ନବସୃଜନକୁ ଉତ୍ସାହିତ କରିବ।

ସେ କହିଥିଲେ ଯେ, ଡିଜିଟାଲ୍ ରୂପାନ୍ତରଣ, ଶିଳ୍ପ ଦକ୍ଷତା ବୃଦ୍ଧି ଓ ବ୍ୟବସାୟ କରିବାର ସହଜତା (Ease of Doing Business) ଉଦ୍ୟମ ମାଧ୍ୟମରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀ ଓ ଷ୍ଟାର୍ଟଅପ୍ ମାନଙ୍କ ପାଇଁ ଆକର୍ଷଣୀୟ ଗନ୍ତବ୍ୟରେ ପରିଣତ କରାଯାଉଛି ।

ସମାବେଶୀ ବିକାଶକୁ ଗୁରୁତ୍ୱ ଦେଇ ସେ ଉଲ୍ଲେଖ କରିଥିଲେ ଯେ, ନୀଳ ଅର୍ଥନୀତିର ବିକାଶ ସହିତ ଉପକୂଳ ପରିବେଶ ସୁରକ୍ଷା ଓ ସ୍ଥାନୀୟ ସମୁଦାୟର କଲ୍ୟାଣକୁ ସମାନ ଗୁରୁତ୍ୱ ଦିଆଯାଉଛି। ସମନ୍ୱିତ ଉପକୂଳ କ୍ଷେତ୍ର ପରିଚାଳନା, ସି–ଉଇଡ୍ ଚାଷ ଓ ପରିବେଶ–ଅନୁକୂଳ ସାମୁଦ୍ରିକ ପର୍ଯ୍ୟଟନକୁ ଏହି ରଣନୀତିର ପ୍ରମୁଖ ଅଂଶ ଭାବେ ଚିହ୍ନଟ କରାଯାଇଛି।

ଶ୍ରୀମତୀ ପାଢୀ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ଆଧୁନିକ ନବସୃଜନର ସମନ୍ୱୟ ମାଧ୍ୟମରେ ରାଜ୍ୟ ଭବିଷ୍ୟତରେ ସ୍ଥାୟୀ ସାମୁଦ୍ରିକ ଶାସନ ଓ ବ୍ଲୁ ଇକୋନୋମି କ୍ଷେତ୍ରରେ ଜାତୀୟ ଓ ବିଶ୍ୱସ୍ତରୀୟ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ।

Leave A Reply

Your email address will not be published.