ଭୁବନେଶ୍ୱର: ନନ୍ଦନକାନନ ଆସିବେ ୩ ପ୍ରଜାତିର ନୂଆ ଅତିଥି। ଏହି ୩ ପ୍ରଜାତିରେ ରହିଛନ୍ତି ୧୮ ଜୀବଜନ୍ତୁ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି। ଚଳିତବର୍ଷର ଦ୍ଵିତୀୟ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି। ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ଗୁଜୁରାଟର ଜୁନାଗଡ଼ ସକ୍କରବାଗ ଚିଡ଼ିଆଖାନା ମଧ୍ୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ହୋଇଛି। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅନୁମୋଦନ ପରେ ଚଳିତ ବର୍ଷର ଏହା ଦ୍ଵିତୀୟ ପର୍ଯ୍ୟାୟ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ହୋଇଛି ।
ଆଜି ସକାଳୁ ସକ୍କରବାଗ ଚିଡ଼ିଆଖାନାର ଟିମ୍ ନନ୍ଦନକାନନରୁ ଗୋଟିଏ ଓଟପକ୍ଷୀ, ୩ଟି ମାଈ ଚଉସିଙ୍ଘା ମୃଗ, ୩ଟି କୁଜି ହରିଣକୁ ସାଙ୍ଗରେ ନେଇ ଗୁଜୁରାଟ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରତିବଦଳରେ ସେଠାରୁ ୩ ପ୍ରଜାତିର ୧୮ ଜୀବଜନ୍ତୁ ନନ୍ଦନକାନନ ଆସିବେ। ସେମାନଙ୍କ ମଧ୍ୟରେ ଦୁଇ ହଳ ଡେମୋଇସେଲ୍ କ୍ରେନ୍, ଦୁଇ ହଳ କଲରାପତରିଆ ବାଘ, ୫ ହଳ ଜଙ୍ଗଲି ନାଲି କୁକୁଡ଼ା ଆସିବେ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ନନ୍ଦନକାନନ ଆସିଥିଲେ ନୂଆ ଅତିଥି । ପ୍ରଥମଥର ପାଇଁ ପର୍ଯ୍ୟଟକ ଦେଖିବାକୁ ପାଇବେ ‘ରିଙ୍ଗ ଟେଲଡ୍ ଲେମୁର୍’। ଚଳିତ ବର୍ଷର ପ୍ରଥମ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏହି ଜନ୍ତୁ ନନ୍ଦନକାନନ ଆସିଥିଲେ । ପ୍ରାଣୀଉଦ୍ୟାନ ନନ୍ଦନକାନନ ଓ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ଏହି ଜନ୍ତୁ ଅଦଳବଦଳ ପ୍ରକ୍ରିୟା ହୋଇଥିଲା ।