ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ଅଭିଷେକ ଶର୍ମା ଝଡ ସୃଷ୍ଟି କରିଥିବା ବେଳେ ଏବେ ବୈଭବ ସୂର୍ଯ୍ୟବଂଶୀ ତୁଫାନ ସାଜିଛନ୍ତି । ବର୍ତମାନ ପ୍ରାୟ ସମସ୍ତ କ୍ରିକେଟପ୍ରେମୀ ଏହି ଦୁଇ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ଦେଖିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ଟି୨୦ରେ ବୋଲରମାନଙ୍କ ପାଇଁ ଏମାନେ ଦୁଃସ୍ୱପ୍ନ ସାଜିଛନ୍ତି । ବୈଭବ ଆଇପିଏଲର ଚଳିତ ସଂସ୍କରଣରେ ୫ଟି ଇନିଂସରେ ୨୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ୨୬୩ ଉପରେ ରହିଛି । ଆଇପିଏଲ ୨୦୨୬ରେ ବର୍ତମାନ ସୁଦ୍ଧା ଏହା ସର୍ବାଧିକ ଷ୍ଟ୍ରାଇକ ରେଟ ରହିଛି । ସେ ୫ଟି ମ୍ୟାଚରେ ୧୮ ଛକା ମଧ୍ୟ ମାରିଛନ୍ତି । ସର୍ବାଧିକ ଛକା ମାରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଅପରପକ୍ଷରେ ଅଭିଷେକ ତାଙ୍କ ତୁଳନାରେ ପଛରେ ପଡି ଯାଇଛନ୍ତି । ସେ ୬ ମ୍ୟାଚରେ ୨୨୯ ଷ୍ଟ୍ରାଇକରେଟରେ ୧୮୮ ରନ କରିଥିଲେ । ଅଭିଷେକ ୧୭ ଛକା ମାରିଛନ୍ତି । ବିସ୍ଫୋରକ ବ୍ୟାଟିଂରେ ଏବେ ଅଭିଷେକଙ୍କୁ ବୈଭବ କିଛି ମାତ୍ରାରେ ପଛରେ ପକାଇ ଦେଇଛନ୍ତି । ଅଭିଷେକ ଆନ୍ତର୍ଜାତୀୟ ମୁକାବିଲାରେ ନିଜ ଦକ୍ଷତା ପ୍ରତିପାଦିତ କରି ପାରିଛନ୍ତି । ବୈଭବଙ୍କ ପ୍ରଦର୍ଶନ ଉପରେ ଆଉ କିଛି ଦିନ ଧୈର୍ଯ୍ୟ ଧରିବାକୁ ପଡିବ । ବୈଭବ ସବୁ ଦିଗରେ ଶଟ ମାରିବା ଦକ୍ଷତା ରଖିଛନ୍ତି । ଅଭିଷେକ ସୀମିତ ଶଟ ଉପରେ ଅତ୍ୟଧିକ ଭରୋଷା କରୁଛନ୍ତି । ଏବେ ଭାରତୀୟ ଟି୨୦ ଟିମର ଦୁଇ ଓପନର କିଏ ହେବ ସେ ନେଇ ଚୟନ କମିଟି ମଧ୍ୟ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି ।