ବରଗଡ: ରାଜ୍ୟରେ କଲବଲ କରୁଛି ତାତି । ଅତ୍ୟଧିକ ଗରମକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନଓ୍ବାଡି ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ହୋଇଛି । ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏହି ଛୁଟି ଘୋଷଣା କରିଛନ୍ତି ।
ଜିଲାପାଳଙ୍କ କାର୍ଯ୍ୟାଳୟରୁ ରବିବାର ପ୍ରକାଶିତ ବିଜ୍ଞପ୍ତି (ନଂ-୧୩/ଆରଇଏସ/୨୦୨୬) ଅନୁଯାୟୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଜିଲାର ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ର ଏବଂ ବୈଷୟିକ ଅନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି ।
ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ଏପ୍ରିଲ ୨୦ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ଜାରି ରହିବାକୁ ଥିବାରୁ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ସହ ଅଂଶୁଘାତ ସମ୍ବନ୍ଧୀୟ ନିରାକରଣ ସରଞ୍ଜାମ ରଖିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି ।
ବୌଦ୍ଧ ଜିଲ୍ଲାରେ ୧୮ ତାରିଖଠାରୁ ଜାରି ରହିଥିବା ଛୁଟି ୨୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସମ୍ବଲପୁର, ନୂଆପଡ଼ା, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଡିଇଓଙ୍କ ପକ୍ଷରୁ କୁହାଯାଇଛି ।