RBI New E-Mandate Rules:ଡିଜିଟାଲ୍ ପେମେଣ୍ଟରେ RBIର ବଡ଼ ଆଶ୍ୱସ୍ତି: ଏବେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଟୋ-ପେମେଣ୍ଟ ପାଇଁ ଆବଶ୍ୟକ ନାହିଁ OTP
ମୁମ୍ବାଇ: ଆଜିକାଲି ଡିଜିଟାଲ ଯୁଗରେ ଆମେ ସମସ୍ତେ ମୋବାଇଲ୍ ରିଚାର୍ଜଠାରୁ ଆରମ୍ଭ କରି OTT ସବସ୍କ୍ରିପସନ୍ ପର୍ଯ୍ୟନ୍ତ ସବୁକିଛି ପାଇଁ ଅଟୋ-ପେମେଣ୍ଟ ଉପରେ ନିର୍ଭର କରିଥାଉ । କିନ୍ତୁ ଅନେକ ସମୟରେ OTP ଆସିବାରେ ବିଳମ୍ବ କିମ୍ବା ନେଟୱାର୍କ ସମସ୍ୟା ଯୋଗୁଁ ଏହି ପେମେଣ୍ଟ ଫେଲ୍ ହୋଇଯାଏ, ଯାହାଫଳରେ ସେବା ବାଧାପ୍ରାପ୍ତ ହୁଏ । ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଇ-ମ୍ୟାଣ୍ଡେଟ୍ ନିୟମରେ ବଡ଼ କୋହଳ କରିଛନ୍ତି ।
କ’ଣ ଏହି ନୂଆ ନିୟମ?
ନୂଆ ନିୟମ ଅନୁଯାୟୀ, ଏବେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ କୌଣସି ବି ଅଟୋ- ପେମେଣ୍ଟ ପାଇଁ ଗ୍ରାହକଙ୍କୁ ଆଉ ବାରମ୍ବାର OTP କିମ୍ବା ପାସୱାର୍ଡ ଦେବାକୁ ପଡ଼ିବ ନାହିଁ । ଯଦି ଆପଣ ପୂର୍ବରୁ ଥରେ ମ୍ୟାଣ୍ଡେଟ୍ ରେଜିଷ୍ଟ୍ରେସନ୍ କରିଛନ୍ତି, ତେବେ ନିର୍ଦ୍ଧାରିତ ତାରିଖରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଆପେ ଆପେ କଟିଯିବ ।
ବିଶେଷ କରି ମ୍ୟୁଚୁଆଲ୍ ଫଣ୍ଡ (SIP), ବୀମା ପ୍ରିମିୟମ୍ ଏବଂ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏହି ସୀମାକୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇଛି । ଅର୍ଥାତ୍ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ SIP ପାଇଁ ଆଉ OTPର ଆବଶ୍ୟକତା ପଡ଼ିବ ନାହିଁ ।
କାର୍ଡ ବଦଳିଲେ ବି ମ୍ୟାଣ୍ଡେଟ୍ ହେବନି କ୍ୟାନସଲ୍
ଅନେକ ସମୟରେ ଗ୍ରାହକଙ୍କ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ହଜିଗଲେ କିମ୍ବା ଏକ୍ସପାୟାର୍ ହୋଇଗଲେ, ପୁରୁଣା କାର୍ଡରେ ଥିବା ସମସ୍ତ ଅଟୋ-ପେମେଣ୍ଟ ବନ୍ଦ ହୋଇଯାଏ । ପୁଣି ଥରେ ନୂଆ କାର୍ଡରେ ସବୁ ସେଟଅପ୍ କରିବାକୁ ବହୁତ ସମୟ ଲାଗେ । ଏବେ RBI ଏହି ନିୟମରେ ପରିବର୍ତ୍ତନ କରିଛନ୍ତି । ନୂଆ ବ୍ୟବସ୍ଥାରେ, କାର୍ଡ ବଦଳିଲେ ମଧ୍ୟ ସେଥିରେ ଥିବା ଇ-ମ୍ୟାଣ୍ଡେଟ୍ ଗୁଡ଼ିକ ଆପେ ଆପେ ନୂଆ କାର୍ଡକୁ ଟ୍ରାନ୍ସଫର ହୋଇଯିବ। ଫଳରେ ଗ୍ରାହକଙ୍କ ପେମେଣ୍ଟରେ କୌଣସି ଅସୁବିଧା ହେବ ନାହିଁ ।
ଏହା ଦ୍ୱାରା ଲାଭ କ’ଣ ହେବ?
ସେବା ବ୍ୟାହତ ହେବନି: OTP ସମସ୍ୟା ଯୋଗୁଁ ପେମେଣ୍ଟ ଫେଲ୍ ହେବାର ଭୟ ରହିବ ନାହିଁ ।
ଜୋରିମାନାରୁ ମୁକ୍ତି: ସମୟ ଅନୁସାରେ ବିଲ୍ ପେମେଣ୍ଟ ହୋଇଯାଉଥିବାରୁ ବିଳମ୍ବ ଶୁଳ୍କ ବା ପେନାଲ୍ଟି ଦେବାକୁ ପଡ଼ିବ ନାହିଁ ।
SIP ପାଇଁ ବଡ଼ ଆଶ୍ୱସ୍ତି: ନିବେଶକମାନେ ଏବେ ବିନା କୌଣସି ବାଧାରେ ସେମାନଙ୍କର ମ୍ୟୁଚୁଆଲ୍ ଫଣ୍ଡ କିସ୍ତି ପୈଠ କରିପାରିବେ ।
ଡିଜିଟାଲ୍ ଦେଣନେଣକୁ ଅଧିକ ଲୋକପ୍ରିୟ କରିବା ଏବଂ ଗ୍ରାହକଙ୍କ ଅଭିଜ୍ଞତାକୁ ସହଜ କରିବା ପାଇଁ RBIର ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।