ଭୁବନେଶ୍ୱର: ଆମ ମଧ୍ୟରୁ ଅନେକଙ୍କର ଏକ ସାଧାରଣ ଅଭ୍ୟାସ ରହିଛି ଯେ, ସକାଳୁ ନିଦ ଭାଙ୍ଗିବା ମାତ୍ରେ ଆମେ ସିଧା ଯାଇ ଆଇନା ବା ଦର୍ପଣ ସାମ୍ନାରେ ଠିଆ ହୋଇଯାଉ। କେଶ ସଜାଡ଼ିବା ହେଉ କିମ୍ବା କେବଳ ନିଜ ମୁହଁ ଦେଖିବା ପାଇଁ, ଆମକୁ ଲାଗେ ଏଥିରେ ଖରାପ କ’ଣ ଅଛି? କିନ୍ତୁ ବାସ୍ତୁ ଶାସ୍ତ୍ର ଏବଂ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଆପଣଙ୍କର ଏହି ଛୋଟ ଅଭ୍ୟାସଟି ଆପଣଙ୍କ ସମ୍ପୂର୍ଣ୍ଣ ଦିନକୁ ଖରାପ କରିଦେଇପାରେ।
ବାସ୍ତୁଶାସ୍ତ୍ର ମୁତାବକ, ଯେତେବେଳେ ଆମେ ରାତିରେ ଶୋଇକି ସକାଳେ ଉଠୁ, ସେତେବେଳେ ଆମ ଶରୀରରେ ଆଳସ୍ୟ ଏବଂ ନକାରାତ୍ମକ ଶକ୍ତି ଭରି ରହିଥାଏ। ଆପଣ ଲକ୍ଷ୍ୟ କରିଥିବେ ଯେ ସକାଳୁ ମୁହଁ ଟିକେ ଫୁଲିଲା ଫୁଲିଲା ଏବଂ କ୍ଳାନ୍ତ ଦେଖାଯାଏ। ସେହି ସମୟରେ ଯେମିତି ଆପଣ ଆଇନା ଦେଖନ୍ତି, ସେହି ନକାରାତ୍ମକ ତରଙ୍ଗଗୁଡ଼ିକ ଆଖି ମାଧ୍ୟମରେ ପୁଣିଥରେ ଶରୀର ଭିତରକୁ ପ୍ରବେଶ କରିଥାଏ। ଏହାର ପରିଣାମ ସ୍ୱରୂପ, ବ୍ୟକ୍ତିର ସମ୍ପୂର୍ଣ୍ଣ ଦିନଟି ମାନସିକ ଚାପ, ଭାରିପଣ ଏବଂ ଚିଡ଼ଚିଡ଼ାପଣରେ ବିତିଥାଏ।
ଧର୍ମଗ୍ରନ୍ଥ ଅନୁଯାୟୀ ସକାଳ ସମୟ (ବ୍ରହ୍ମ ମୁହୂର୍ତ୍ତ) ଅତ୍ୟନ୍ତ ପବିତ୍ର ଅଟେ। ଶାସ୍ତ୍ର କହୁଛି ଯେ ସକାଳୁ ଉଠିବା ମାତ୍ରେ ପ୍ରଥମେ ନିଜର ଇଷ୍ଟଦେବଙ୍କୁ ସ୍ମରଣ କରିବା ଉଚିତ୍ କିମ୍ବା ନିଜର ଦୁଇ ହାତ ପାପୁଲି ଦର୍ଶନ କରିବା ଦରକାର।
ସକାଳେ ହାତ ପାପୁଲିକୁ ଦେଖିବା ସମୟରେ ଏହି ମନ୍ତ୍ର ପାଠ କରିବାର ପରମ୍ପରା ରହିଛି: “କରାଗ୍ରେ ବସତେ ଲକ୍ଷ୍ମୀଃ, କରମଧ୍ୟେ ସରସ୍ୱତୀ । କରମୂଳେ ସ୍ଥିତୋ ବ୍ରହ୍ମା, ପ୍ରଭାତେ କରଦର୍ଶନମ୍ ॥” ଏହାର ଅର୍ଥ ହେଉଛି- ହାତର ଅଗ୍ର ଭାଗରେ ମା’ ଲକ୍ଷ୍ମୀ, ମଧ୍ୟ ଭାଗରେ ମା’ ସରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ବିଷ୍ଣୁ (ବା ବ୍ରହ୍ମା) ବାସ କରନ୍ତି। ଯେତେବେଳେ ଆପଣ ଉଠିବା ମାତ୍ରେ ଆଇନା ଦେଖନ୍ତି, ଆପଣ ଏହି ଦୈବୀୟ ଶକ୍ତି ବଦଳରେ କେବଳ ନିଜର ଶାରୀରିକ ମୋହ-ମାୟା ସହ ଯୋଡ଼ି ହୋଇଯାଆନ୍ତି।
ଯଦି ଆପଣଙ୍କ ବେଡ୍ ର ଠିକ୍ ସାମ୍ନାରେ ଡ୍ରେସିଂ ଟେବୁଲ୍ ବା ଆଇନା ଅଛି ଏବଂ ଆଖି ଖୋଲିବା ମାତ୍ରେ ନିଜ ମୁହଁ ଦେଖାଯାଉଛି, ତେବେ ବାସ୍ତୁ ଅନୁଯାୟୀ ଏହା ଏକ ବଡ଼ ଦୋଷ। ଧାର୍ମିକ ଦୃଷ୍ଟିକୋଣରୁ ବିଶ୍ୱାସ କରାଯାଏ ଯେ ଶୋଇବା ସମୟରେ ଆମ ଆତ୍ମାର ଏକ ସୂକ୍ଷ୍ମ ଅଂଶ ଶରୀର ବାହାରେ ବିଚରଣ କରିଥାଏ, ଏବଂ ଆଇନା ସେହି ଶକ୍ତିକୁ ଦ୍ୱନ୍ଦ୍ୱରେ ପକାଇପାରେ। ଏହାଦ୍ୱାରା ଘରେ ପାରିବାରିକ ଅଶାନ୍ତି ଏବଂ ମାନସିକ ଉତ୍ତେଜନା ବୃଦ୍ଧି ପାଏ।
ସୁସ୍ଥ ଦିନଟିଏ ପାଇଁ କିଛି ସହଜ ପ୍ରତିକାର:
-
ଆଇନା ଘୋଡ଼ାଇ ରଖନ୍ତୁ: ଯଦି ଶୋଇବା ଘରେ ଆଇନା ଅଛି ଏବଂ ତାହାକୁ ହଟାଇବା ସମ୍ଭବ ନୁହେଁ, ତେବେ ରାତିରେ ଶୋଇବା ବେଳେ ତା’ ଉପରେ ଏକ ସଫା ପରଦା କିମ୍ବା ଧଳା କପଡ଼ା ଘୋଡ଼ାଇ ଦିଅନ୍ତୁ।
-
ମଙ୍ଗଳ ଦର୍ଶନ: ନିଜ ରୁମ୍ରେ ଏମିତି ଏକ ସ୍ଥାନରେ ଭଗବାନଙ୍କ ଫଟୋ, ଉଦୟ ହେଉଥିବା ସୂର୍ଯ୍ୟ କିମ୍ବା ଉଡ଼ୁଥିବା ପକ୍ଷୀମାନଙ୍କ ଚିତ୍ର ଲଗାନ୍ତୁ, ଯେମିତି ସକାଳେ ପ୍ରଥମେ ଆପଣଙ୍କ ନଜର ସେହି ଶୁଭ ଚିତ୍ର ଉପରେ ପଡ଼ିବ।
-
ହକେ ପାପୁଲି ଘଷନ୍ତୁ: ବିଛଣା ଛାଡ଼ିବା ପୂର୍ବରୁ ନିଜର ଦୁଇ ହାତ ପାପୁଲିକୁ ଦେଖନ୍ତୁ, ଟିକେ ଘଷି ନିଜ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ଶରୀରରେ ସକାରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ।
-
ଫ୍ରେସ୍ ହେବା ପରେ ଆଇନା ଦେଖନ୍ତୁ: ସକାଳୁ ଉଠି ବ୍ରସ୍ କରିବା, ନିତ୍ୟକର୍ମ ସାରିବା କିମ୍ବା ଅତିକମରେ ଥଣ୍ଡା ପାଣିରେ ମୁହଁ ଓ ଆଖି ଧୋଇବା ପରେ ହିଁ ଆଇନା ଦେଖିବା ସୁରକ୍ଷିତ ବୋଲି କୁହାଯାଏ।