କୋଲକାତା: ପଶ୍ଚିମବଙ୍ଗର ମଧ୍ୟମଗ୍ରାମ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବିଜେପିର ହେଭିୱେଟ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ)ଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି।
ସୂଚନା ଅନୁଯାୟୀ, ମଧ୍ୟମଗ୍ରାମ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଏହି ହତ୍ୟାକାଣ୍ଡ ଘଟିଛି। ଶୁଭେନ୍ଦୁଙ୍କ ସହାୟକଙ୍କୁ ଅତି ନିକଟରୁ ଗୁଳି କରାଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ପୁଣି ଥରେ ସରଗରମ ହୋଇଛି। ବିଜେପି ଏହାକୁ ଏକ ‘ରାଜନୈତିକ ହତ୍ୟା’ ବୋଲି ଅଭିଯୋଗ କରିବା ସହ ଟିଏମସି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଅନ୍ୟପଟେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ କେଉଁ କାରଣରୁ ଏବଂ କାହା ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି, ସେ ନେଇ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ପୁଣି ଥରେ ମୁଣ୍ଡ ଟେକିଥିବାରୁ ବିଜେପି କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।