Latest Odisha News

BREAKING NEWS

ସିନେମା ଜଗତକୁ ‘ଥାଲାପତି’ଙ୍କ ବାଏ ବାଏ

ନୂଆଦିଲ୍ଲୀ: ତାମିଲ ସିନେମାର ସବୁଠାରୁ ବଡ଼ ସୁପରଷ୍ଟାର ‘ଥାଲାପତି’ ବିଜୟ ଏବେ ରୂପେଲି ପରଦାକୁ ଅଲବିଦା କହି ସାରିଛନ୍ତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ସେ ଏବେ ପୂର୍ଣ୍ଣକାଳୀନ ରାଜନୀତିରେ ମନୋନିବେଶ କରିବେ । ବିଜୟଙ୍କ ଏହି ନିଷ୍ପତ୍ତି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ରଜନୀକାନ୍ତଙ୍କ ପରେ ବକ୍ସ ଅଫିସର ସବୁଠାରୁ ଭରସାଯୋଗ୍ୟ ଚେହେରା କୁହାଯାଉଥିଲା। ବିଜୟଙ୍କ ପରେ ଏବେ ଏହି ସାମ୍ରାଜ୍ୟକୁ କିଏ ସମ୍ଭାଳିବ ?

ଗତ ଏକ ଦଶନ୍ଧି ଧରି ତାମିଲ ବକ୍ସ ଅଫିସରେ ଯାହାଙ୍କ ନାଁରେ କୋଟି କୋଟି ଟଙ୍କାର ବର୍ଷା ହେଉଥିଲା, ସେ ହେଉଛନ୍ତି ‘ଥାଲାପତି’ ବିଜୟ। ୨୦୧୬ରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ତାମିଲନାଡୁର ଟପ୍-୩ ଫିଲ୍ମ ମଧ୍ୟରେ ବିଜୟଙ୍କର ଗୋଟିଏ ଫିଲ୍ମ ନିଶ୍ଚୟ ରହିଥାଏ। ରଜନୀକାନ୍ତଙ୍କ ପରେ ବିଜୟ ହିଁ ଏକମାତ୍ର ଷ୍ଟାର ଯିଏ ଗ୍ଲୋବାଲ ବକ୍ସ ଅଫିସରେ ୬୦୦ କୋଟିରୁ ଅଧିକ ବ୍ୟବସାୟ କରିବାର ଦମ୍ ରଖନ୍ତି। କିନ୍ତୁ ଏବେ ସେ ରାଜନୀତିର ‘ଜନ ନାୟଗନ’।

ବିଜୟଙ୍କ ବିଦାୟ ପରେ ଏବେ ଇଣ୍ଡଷ୍ଟ୍ରିରେ ‘ଷ୍ଟାର କ୍ରାଇସିସ୍’ ବା ସୁପରଷ୍ଟାରଙ୍କ ଅଭାବ ଦେଖାଦେବ। ତାମିଲ ସିନେମାର ୨୦ଟି ବଡ଼ ଫିଲ୍ମ ମଧ୍ୟରୁ ୧୫ଟି କେବଳ ରଜନୀକାନ୍ତ ଏବଂ ବିଜୟଙ୍କର।

ନୂଆ ପିଢ଼ିର କଳାକାରଙ୍କ ମଧ୍ୟରେ ଶିବକାର୍ତ୍ତିକେୟନ କିଛିଟା ଆଶା ସଞ୍ଚାର କରିଛନ୍ତି। ‘ଅମରନ୍’ ପରି ଫିଲ୍ମ ମାଧ୍ୟମରେ ସେ ୩୦୦ କୋଟିର କ୍ଲବରେ ସାମିଲ ହୋଇଛନ୍ତି। କିନ୍ତୁ ସେ ବିଜୟଙ୍କ ପରି କ୍ରେଜ୍ ସୃଷ୍ଟି କରିପାରିବେ କି ନାହିଁ, ତାହା ଏବେଠାରୁ କହିବା ମୁସ୍କିଲ।

ଶେଷରେ ସବୁକିଛି ପୁଣି ସେହି ୭୩ ବର୍ଷୀୟ ସୁପରଷ୍ଟାର ରଜନୀକାନ୍ତଙ୍କ ଉପରେ ଆସି ଅଟକିଛି। କିନ୍ତୁ ଜଣେ ବ୍ୟକ୍ତି କେତେ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଇଣ୍ଡଷ୍ଟ୍ରିର ଭାର ସମ୍ଭାଳିବେ ? ବିଜୟଙ୍କ ଶେଷ ଫିଲ୍ମ ‘ଜନ ନାୟଗନ’ ରିଲିଜ୍ ଅପେକ୍ଷାରେ ଅଛି, କିନ୍ତୁ ତାମିଲ ସିନେମା ଏବେ ଏମିତି ଏକ ମୋଡ଼ରେ ଛିଡ଼ା ହୋଇଛି, ଯେଉଁଠି ସୁପରଷ୍ଟାରଡମ୍‌ର ସିଂହାସନ ଖାଲି ପଡ଼ିଛି।

Leave A Reply

Your email address will not be published.