ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡଠାରୁ ସାଧାରଣ ନାଗରିକ କୌଣସି ତଥ୍ୟ କିମ୍ବା ସୂଚନା ମାଗି ପାରିବନି । ଏପରିକି ଆରଟିଆଇ ନିୟମ ମାଧ୍ୟମରେ ମଧ୍ୟ ସୂଚନା ହାସଲ କରିପାରିବ ନାହିଁ । ପ୍ରାୟ ଏକ ଦଶନ୍ଧି ନେଇ ଏ ନେଇ ତର୍କ ବିତର୍କ ଚାଲିଥିଲା । ଏବେ କେନ୍ଦ୍ରୀୟ ସୂଚନା ଆୟୋଗ ସ୍ପଷ୍ଟ ଭାବେ କହିଛନ୍ତି ଭାରତୀୟ କ୍ରିକେଟ ବୋର୍ଡ ଆରଟିଆଇ ଅଧୀନରେ ନାହିଁ । ଏହା ସରକାରୀ ସଂସ୍ଥା କିମ୍ବା ବିଭାଗ ନୁହେଁ । ଖେଳାଳିଙ୍କ ଚୟନକୁ ଆରଟିଆଇ ଅଧିନକୁ ଆଣିବା ସହ ଅନ୍ୟ କେତେକ ଦାବୀ ନେଇ ଆବେଦନ କରାଯାଇଥିଲା ।
ସିଆଇସି ଶୁଣାଣୀ ବିସିସିଆଇକୁ ବଡ ଆଶ୍ୱସ୍ତି ପ୍ରଦାନ କରିଛି । ବିସିସିଆଇ କୌଣସି ରୂପରେ ସରକାରୀ ସଂସ୍ଥା ନୁହେଁ । ଏଥିରେ ସରକାରଙ୍କ କୌଣସି ହସ୍ତକ୍ଷେପ ନାହିଁ କିମ୍ବା ଆର୍ଥୀକ ସହାୟତା ମଧ୍ୟ ନାହିଁ । ବିସିସିଆଇ ଚୟନ କମିଟି କେଉଁ ମାଧ୍ୟମରେ ଖେଳାଳି ଚୟନ କରୁଛି ସେ ନେଇ ତଥ୍ୟ ହାସଲ କରିହେବ ନାହିଁ । ଏହା ଆମ ସୀମା ବାହାରେ ବୋଲି ମଧ୍ୟ କୁହାଯାଇଛି । ବିସିସିଆଇର ଆୟ, ଖେଳାଳି ଚୟନ ନେଇ ଅନେକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହାକୁ ସମାଧାନ ନିଜେ ବିିସିସିଆଇ କରିବ ବୋଲି ଏହା ଏବେ ସ୍ପଷ୍ଟ ହୋଇଯାଇଛି ।