ନୂଆଦିଲ୍ଲୀ: ଫ୍ରେଂଚ ଓପନ ଟେନିସରେ ରୋମାଂଚ ଓ କୋଳାହଳ ନୂଆ କଥା ନୁହେଁ । ଟେନିସର ଓଭରଡୋଜ ଏଠାରେ ଦେଖିବାକୁ ମିଳିଥାଏ । ତେବେ ଏହି ପରିବେଶ ମଧ୍ୟରେ ଏଭଳି ଏକ ନୂଆ ଷ୍ଟାଡିୟମ ନିର୍ମାଣ କରାଯାଇଛି ଯାହା ପ୍ରଶଂସକ ଓ ପରିବେଶବିତଙ୍କୁ ବେଶ ପସନ୍ଦ ଆସିଛି । ଏହି ଷ୍ଟାଡିୟମରେ ଚାରିପଟେ ୫୦୦ ଊର୍ଦ୍ଧ୍ୱ ପ୍ରଜାତିର ବୃକ୍ଷ ରହିଛି । ସବୁଜିମା ପରିବେଶରେ ମ୍ୟାଚ ଖେଳାଯିବାର ନୂଆ ଅନୂଭୂତି ଦର୍ଶକ ପାଉଛନ୍ତି । ୨ ଥର ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଥିବା ସିମୋନ ମାଥ୍ୟୁଙ୍କ ନାମରେ ଏହାକୁ ନାମିତ କରାଯାଇଛି ।
ଦର୍ଶକମାନେ ଷ୍ଟାଡିୟମ ମଧ୍ୟରେ ପ୍ରବେଶ କରି ନିଜ ସିଟରେ ବସିବା ପରେ ସେମାନେ ଅନୂଭବ କରୁଛନ୍ତି ସତେ ଯେପରି ଗୁପ୍ତ ସୁଡଙ୍ଗ ଦେଇ ଖେଳ ଦେଖିବାକୁ ଆସିଛନ୍ତି । ବୃକ୍ଷ, ଫୁଲ ଏବଂ ଶେଷରେ ନାଲି ମାଟିର ବାସ୍ନା ସେମାନଙ୍କୁ ଟେନିସ ମ୍ୟାଚ ଉପଭୋଗ କରିବାରେ ନୂଆ ରୋମାଂଚ ପ୍ରଦାନ କରୁଛି । ୨୦୧୯ରେ ଏହି କୋର୍ଟର ନିର୍ମାଣ ଆରମ୍ଭ ହୋଇଥିଲା । ଫ୍ରେଂଚ ଓପନର ଏହା ତୃତୀୟ ବଡ କୋର୍ଟ । ଭୂପୃଷ୍ଠରୁ ସାଢ଼େ ୪ ମିଟର ତଳେ ୪ ବିଶାଳ କାଚର ଗ୍ରୀନ ହାଉସ ମଧ୍ୟରେ ଏହି କୋର୍ଟ ରହିଛି । ସତେ ଯେପରି ପ୍ରକୃତି ତାର କୋଳରେ ଏହି କୋର୍ଟକୁ ସ୍ଥାନ ଦେଇଛି ।