Latest Odisha News

BREAKING NEWS

ମୋବାଇଲରେ ସ୍କାନ ହେଉଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତା: ଟେଣ୍ଡର ନିୟମରେ ଅନିୟମିତତା ନେଇ ରାହୁଲ ଗାନ୍ଧୀଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଉତ୍ତରଖାତା ଗୁଡ଼ିକୁ ସ୍କାନ କରିବା ପାଇଁ ପେଶାଦାର ମେସିନ ବଦଳରେ କେବଳ ମୋବାଇଲ ଫୋନର ବ୍ୟବହାର କରାଯାଉଛି। ଟେଣ୍ଡର ନିୟମକୁ ବଦଳାଇ କୋଏମ୍ପ୍ଟ ନାମକ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଫାଇଦା ପହଞ୍ଚାଇବା ପାଇଁ ଜାଣିଶୁଣି ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଅନସ୍କ୍ରିନ ମାର୍କିଂ ବା ଓଏସଏମ ବ୍ୟବସ୍ଥା ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରରେ ବ୍ୟାପକ ଅନିୟମିତତା ହୋଇଥିବା ରାହୁଲ ଦାବି କରିଛନ୍ତି। ତାଙ୍କ ଅନୁଯାୟୀ ମେ ୨୦୨୫ ମସିହାରେ ପ୍ରଥମେ ଅଟୋମେଟିକ ରୋବୋଟିକ ସ୍କାନର ଏବଂ ୩୦୦ ଡିପିଆଇ ରେଜୋଲୁସନ ଜରୁରୀ ବୋଲି ନିୟମ ରହିଥିଲା। ମାତ୍ର ଅଗଷ୍ଟ ମାସରେ ଏହାକୁ ପରିବର୍ତ୍ତନ କରି ୨୦୦ ଡିପିଆଇ କରାଯିବା ସହ ରୋବୋଟିକ ସ୍କାନର ନିୟମକୁ ଚୁପଚାପ ହଟାଇ ଦିଆଯାଇଥିଲା। ଫଳରେ ସମ୍ପୃକ୍ତ କମ୍ପାନୀ ମୋବାଇଲ ଫୋନ ଜରିଆରେ ଛାତ୍ରଛାତ୍ରୀଙ୍କ ଖାତା ସ୍କାନ କରୁଥିବା ବେଳେ ଅନେକ ପୃଷ୍ଠା ଝାପସା ଆସୁଛି କିମ୍ବା ଛାଡ଼ି ଯାଉଛି। ଏହା କୌଣସି ତ୍ରୁଟି ନୁହେଁ ବରଂ ଏକ ବଡ଼ ଧରଣର ଠକେଇ ବୋଲି ସେ ସମାଲୋଚନା କରିଛନ୍ତି।

ଏହି ବଡ଼ ଧରଣର ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀରବତାକୁ ନେଇ ରାହୁଲ ଗାନ୍ଧୀ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ପ୍ରାୟ ସାଢ଼େ ୧୮ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଥିବା ବେଳେ ସରକାର କାହିଁକି ଚୁପ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଯୋଗୁଁ ଅନେକ ମେଧାବୀ ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହେଉଛନ୍ତି ଯାହା ଆଦୌ ଗ୍ରହଣୀୟ ନୁହେଁ।

ଏକ ବିଶାଳ ଟେକନୋଲୋଜି କମ୍ପାନୀ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ତାଙ୍କୁ ବାଦ ଦେଇ ଖରାପ ରେକର୍ଡ ଥିବା କମ୍ପାନୀକୁ କାହିଁକି ଚୟନ କରାଗଲା ସେ ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ବଳି ପକାଇ କେଉଁ କାରଣରୁ ଟେଣ୍ଡର ନିୟମ କୋହଳ କରାଗଲା ତାହାର ଏକ ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ କରାଯିବାକୁ କଂଗ୍ରେସ ଦଳ ପକ୍ଷରୁ ଦୃଢ଼ ଦାବି କରାଯାଇଛି।

Leave A Reply

Your email address will not be published.