Latest Odisha News

BREAKING NEWS

ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା, ଛୁଟି ଉପରେ ଜଳସମ୍ପଦ ବିଭାଗ ଲାଗିଲା ରୋକ୍

ଭୁବନେଶ୍ୱର: ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ଜାରି ରହିଛି। ସମ୍ପୂର୍ଣ୍ଣ ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ। ହେଲେ ମୌସୁମୀ ବର୍ଷା ପୂର୍ବକୁ ଜଳସମ୍ପଦ ବିଭାଗ ଆଗୁଆ ପ୍ରସ୍ତୁତ ହୋଇଛି। ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା ଜାରି କରିଛି ବିଭାଗ। ବନ୍ୟା ଋତୁରେ ଛୁଟି ଉପରେ କଟକଣା ଜାରି କରିଛି। ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ଜଳସମ୍ପଦ ବିଭାଗର ଅଧିକାରୀ। ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା।

ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ୟା ଋତୁ ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ବନ୍ୟା ପରିଚାଳନା, ନଦୀବନ୍ଧ ସୁରକ୍ଷା, ଜଳାଶୟ ପରିଚାଳନା ଓ କ୍ଷେତ୍ରସ୍ତରରେ ଆପାତକାଳୀନ ସେବା ପ୍ରଦାନକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ନିର୍ଦ୍ଦେଶନାମା ଅନୁସାରେ, ବନ୍ୟା ଓ ମୌସୁମୀ ବର୍ଷା ଋତୁରେ ସମସ୍ତ ଅଧିକାରୀ ସତର୍କ ରହିବେ ଏବଂ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ବନ୍ୟା, ଘାଇ ସୃଷ୍ଟି, ଜଳାଶୟରୁ ଜଳ ନିଷ୍କାସନ କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ଅଧିକାରୀମାନଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ବିଭାଗ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ, ପୋଲିସ, ରାଜସ୍ୱ ବିଭାଗ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଏଥିସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ, ଜନପ୍ରତିନିଧି ଓ ଯନ୍ତ୍ରପାତି ଉପଲବ୍ଧକାରୀଙ୍କ ଯୋଗାଯୋଗ ବିବରଣୀ ସହ ତଥ୍ୟ ସଂରକ୍ଷିତ ରଖିବାକୁ କୁହାଯାଇଛି। ବନ୍ୟା ଋତୁରେ ତ୍ୱରିତ ନିଷ୍ପତ୍ତି ଓ ତଦାରଖ ପାଇଁ ଜୁନ୍ ୧ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବିଭାଗର ସମସ୍ତ ଡିଭିଜନ, ସର୍କଲ, ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟାଳୟ ଏବଂ ରାଜୀବ ଭବନରେ ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ। ଏହି କଣ୍ଟ୍ରୋଲ ରୁମ୍‌ଗୁଡ଼ିକରେ ନିୟୋଜିତ ଅଧିକାରୀମାନଙ୍କୁ ସର୍ବଦା ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ସମସ୍ତ ଅଧିକାରୀଙ୍କୁ ଗତ ତିନି ବର୍ଷର ଘାଇ ସ୍ଥାନ ଉପରେ କଡ଼ା ନଜର ରଖିବା, ଜଳାଶୟ ଗେଟ୍ ପରିଚାଳନା ସମ୍ବନ୍ଧୀୟ ଏସଓପି କଡ଼ାକଡ଼ି ପାଳନ କରିବା ଏବଂ ବନ୍ୟା ପରିଚାଳନାରେ କୌଣସି ପ୍ରକାରର ଅବହେଳା ନ କରିବାକୁ ପରାମର୍ଶ ଦିଆଯାଇଛି। ବନ୍ୟା ଋତୁରେ ଯେକୌଣସି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ଏବଂ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.