Latest Odisha News

BREAKING NEWS

କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ: ଅଳ୍ପକେ ବର୍ତିଲେ ଚିତ୍ରକୋଣ୍ଡା ବିଧାୟକ

କୋରାପୁଟ: କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଭୀଷଣ ତାଣ୍ଡବ ରଚିଛି। ପ୍ରବଳ ଝଡ଼ବର୍ଷା ଯୋଗୁଁ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି। ଚିତ୍ରକୋଣ୍ଡାରେ ଆୟୋଜିତ ଏକ କ୍ରିକେଟ ଟୁର୍ନାମେଣ୍ଟରେ ଯୋଗ ଦେଇ ସେ ନିଜ ଗାଡ଼ିରେ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍ ଏକ ବଡ଼ ଗଛ ତାଙ୍କ ଗାଡ଼ି ଉପରେ ପଡ଼ିଯାଇଥିଲା। ତେବେ ସୌଭାଗ୍ୟବଶତଃ ଗାଡ଼ିରେ ଥିବା ବିଧାୟକଙ୍କ ସମେତ ସମସ୍ତ ବ୍ୟକ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

 

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ନନ୍ଦପୁର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ହୋଇଥିବା ଏହି ଝଡ଼ପବନ ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ନନ୍ଦପୁରରେ ସାପ୍ତାହିକ ହାଟ ଚାଲିଥିବା ସମୟରେ ଅଚାନକ ଆସିଥିବା ଏହି ମାଡ଼ପବନ ଯୋଗୁଁ ବ୍ୟବସାୟୀଙ୍କ ଜରିପାଲ ଏବଂ ଅସ୍ଥାୟୀ ଦୋକାନଗୁଡ଼ିକ ଉଡ଼ିଯାଇଛି। ନିଜ ନିଜ ସାମଗ୍ରୀ ବଞ୍ଚାଇବା ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ହାଟ ବ୍ୟବସାୟୀ ବ୍ୟାପକ ଆର୍ଥିକ କ୍ଷତି ସହିଛନ୍ତି।

 

ଝଡ଼ର ପ୍ରଭାବ ଏତେ ଅଧିକ ଥିଲା ଯେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିରହିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଅନେକ ଗରିବ ଲୋକଙ୍କ ଘରର ଛପର ମଧ୍ୟ ପବନରେ ଉଡ଼ିଯାଇଥିବା ସୂଚନା ମିଳିଛି।

 

ବିଦ୍ୟୁତ ତାର ଉପରେ ଗଛ ପଡ଼ିଯିବାରୁ ସମଗ୍ର ନନ୍ଦପୁର ଅଞ୍ଚଳ ଏବେ ଅନ୍ଧାରରେ ବୁଡ଼ି ରହିଛି। ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବା ପାଇଁ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି।

Leave A Reply

Your email address will not be published.