Latest Odisha News

BREAKING NEWS

୧୩ରୁ କବାଡି ଓ ଟଗ୍ ଅଫ୍ ୱାର ଚାମ୍ପିଅନସିପ, ଭାଗନେବେ ୧୬ ଦଳ

ଭୁବନେଶ୍ବର: ରଜ ପର୍ବ ଉପଲକ୍ଷେ ପାରମ୍ପରିକ କ୍ରୀଡାକୁ ପ୍ରୋତ୍ସାହିତ କରିବା ସହ ଏହାର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ବିଚିତ୍ର ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତା କବାଡି ଓ ଟଗ୍ ଅଫ ୱାର ଚାମ୍ପିଅନସିପ।
କବାଡି ଏବଂ ଟଗ ଅଫ ୱାରରେ ଉଭୟ ପୁରୁଷ ଓ ମହିଳା ଦଳ ଭାଗ ନେବେ। ଚାମ୍ପିଅନ ଓ ରନର୍ସ ଅପ ଦଳକୁ ଟ୍ରଫି ସହ ଆକର୍ଷଣୀୟ ଆର୍ଥିକ ରାଶି ପ୍ରଦାନ କରାଯିବ। ଚାରି ଦିନଧରି ପ୍ରତିଯୋଗିତା ଭୁବନେଶ୍ବର ଉପକଣ୍ଠ ମଦନପୁର ହାଇସ୍କୁଲ ପଡିଆରେ ଆୟୋଜିତ ହେବ।

କବାଡିରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରିବେ। ଦଳ ଗୁଡିକ ହେଲେ ଓଡିଶାରୁ ଜଟଣୀ, ୱାନ ଭଏସ, ଜୟ ଓଡିଶା ଆସ୍କା, ପଟ୍ଟନାୟକ, ଜିଏନଏସଓ, ସମ୍ବଲପୁର, କିଟ, ରେନବୋ, ନୂଆପଡା, କଳିଙ୍ଗ ଷ୍ଟାଡିୟମ ଓ ଆରଏସପି ଏବଂ ରାଜ୍ୟ ବାହାରୁ ଛତିଶଗଡ଼, ହରିଆନା, ଭୋପାଳ ଓ କୋଲକାତା ପୁଲିସ ଦଳ ରହିଛନ୍ତି। ସମାନ ସଂଖ୍ୟକ ଦଳ ଟଗ ଅଫ ୱାରରେ ସାମିଲ ହେବେ।

ପୁରୁଷରେ ଚାମ୍ପିଅନ ଦଳୁ ୫୦ ହଜାର ଓ ରନର୍ସ ଅପ ଦଳୁ ୩୦ ହଜାର ଲେଖାଏଁ ପ୍ରଦାନ କରାଯିବ। ସେହିପରି ମହିଳାରେ ଚାମ୍ପିଅନଙ୍କୁ ୩୦ ହଜାର ଓ ରନର୍ସ ଅଫ ଦଳକୁ ୨୦ ହଜାର ଟଙ୍କା ମିଳିବ। ପ୍ରତ୍ୟେକ ଦିନ ପ୍ରତିଯୋଗିତାରେ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରତିଯୋଗିତାରେ ଅତିଥି ଭାବରେ ଯୋଗ ଦେବେ। ବିଶିଷ୍ଟ ବ୍ୟକ୍ତି ବିଶେଷ ଓ କ୍ରୀଡା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, ବିଚିତ୍ର ଚାରିଟେବୁଲ ଟ୍ରଷ୍ଟର ଆବାହକ ଅର୍ଦ୍ଧେନ୍ଦୁ ଦାସ, ମଦନପୁର ପଞ୍ଚାୟତ ରଜ ମହୋତ୍ସବର ସଭାପତି ପ୍ରଫେସର ଛେନୁ ଶେଖର ପଟ୍ଟନାୟକ, ବିଚିତ୍ର ଚାରିଟେବୁଲ ଟ୍ରଷ୍ଟର ସାଧାରଣ ସମ୍ପାଦକ ଅଜୟ ସାହୁ, ମହାରଣା ବୀରବର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ କାହ୍ନୁଚରଣ ମିଶ୍ର, ଏମ୍ସର ପୂର୍ବତନ ଡିରେକ୍ଟର୍ ଅଫ ଆକାଉଣ୍ଟାଣ୍ଟ ଜ୍ଞାନରଞ୍ଜନ ସାହୁ ଏବଂ ପୂର୍ବତନ ଫୁଟବଲ ଖେଳାଳି ପ୍ରଦୀପ୍ତ କୁମାର ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.