ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ବୁଧବାର ଅପରାହ୍ଣରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଏକୀକୃତ ପରୀକ୍ଷଣ ଶିବିର (ITR) ଠାରେ ଡିଆରଡିଓ (DRDO) ପକ୍ଷରୁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ମିସାଇଲ ପରୀକ୍ଷଣ। ଲଞ୍ଚ ପ୍ୟାଡ-୩ରୁ ଏକ ଗୁରୁତ୍ୱପୂର୍ଣ୍ଣ ମିସାଇଲ ପରୀକ୍ଷଣ ହୋଇଛି।
ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣ ସାଢ଼େ ୩ଟା ସମୟରେ ଚାନ୍ଦିପୁରର ୩ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା। ପରୀକ୍ଷଣ ସମୟରେ ଡିଆରଡିଓର ବୈଜ୍ଞାନିକମାନେ କ୍ଷେପଣାସ୍ତ୍ରର ଗତିବିଧିକୁ ନିରନ୍ତର ନୀରିକ୍ଷଣ କରିବା ସହ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିଥିଲେ। ମିସାଇଲ ପରୀକ୍ଷଣ ପାଇଁ ଲଞ୍ଚ ପ୍ୟାଡ଼ରୁ ୧ରୁ ୩.୫ କିଲୋମିଟର ମଧ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ୧୧ ହଜାର ୪୪୨ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଥିଲା । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ଏହି ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ଗତମାସ ଚାନ୍ଦିପୁରରୁ ଗର୍ଜିଥିଲା ‘ଅଗ୍ନି-୧’ । ଚାନ୍ଦିପୁର ସମନ୍ୱିତ ଟେଷ୍ଟ ରେଂଜରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ଅଗ୍ନି-୧’ ର ସଫଳ ପରୀକ୍ଷଣ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପରୀକ୍ଷଣ ହୋଇଥିଲା। ମିସାଇଲଟି ସମସ୍ତ ବୈଷୟିକ ମାନଦଣ୍ଡକୁ ପୂରଣ କରି ନିଜର ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା।