ବୌଦ୍ଧ: ଆଜିକୁ ୧୫ ଦିନ ହେବ ପୁରା ଅନ୍ଧାରରେ ବୌଦ୍ଧ ସଗଡ଼ା ପଞ୍ଚାୟତର ୧୪ ଖଣ୍ଡ ଗାଁ । ୧୫ ଦିନ ପୂର୍ବରୁ ଝଡ଼ବର୍ଷାରେ କଟିଥିଲା ବିଦ୍ୟୁତ । ହେଲେ ଆଜି ଯାଏଁ ବିଦ୍ୟୁତ୍ ମରାମତି ହୋଇପାରିଲା ନାହିଁ । ୧୫ ଦିନ ହେବ ବିଦ୍ୟୁତ ନଥିବାରୁ ବାଉଁଶୁଣୀ ସେକସନ କାର୍ଯ୍ୟାଳୟ ଘେରିଛନ୍ତି ଉପଭୋକ୍ତାମାନେ । ତୁରନ୍ତ ବିଦ୍ୟୁତ୍ ସରବରାହ ଯୋଗାଇ ନଦେଲେ ଉପଭୋକ୍ତା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏଥି ସହ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇ ସମାଧାନ କରିବା ପାଇଁ ଦାବି କରିଛନ୍ତି ।
ଅଭିଯୋଗ ଅନୁସାରେ ବୌଦ୍ଧ ବ୍ଲକ ଶଗଡ଼ା ପଂଚାୟତର ବାର କୁଥୁଲ, ରାଇଣ୍ଡା, ଦରୁକୁପା, ଚନ୍ଦେର, ଆଦେଶିଂ, ଦୁଟେଶର, ନଲିକୁମ୍ପା, ସସ୍କପଦର୍ ଆଦି ଅଞ୍ଚଳରେ ଦୀର୍ଘ ୧୫ ଦିନ ପୂର୍ବରୁ ଝଡ଼ବର୍ଷା ହୋଇଥିଲା । ସେହି ସମୟରେ ବିଦ୍ୟୁତ୍ ସରବରାହ କଟି ଯାଇଥିଲା ।ପୁନର୍ବାର ବିଦ୍ୟୁତ୍ ସରବରାହ ଚାଲୁ ହୋଇ ନଥିବାରୁ ୧୫ ଦିନ ଧରି ଅନ୍ଧାରରେ ଦିନ କାଟୁଛନ୍ତି ଗାଁଲୋକେ ।
ଏପଟେ ତିନି ଦିନ ମଧ୍ୟରେ ଏହାର ସମାଧାନ କରି ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।