Latest Odisha News

BREAKING NEWS

ଇଭି ଅଟୋ-କାର୍ ଧକ୍କା: ଦୁର୍ଘଟଣାରେ ବାପା-ଝିଅ ମୃତ

ସମ୍ବଲପୁର: ଅଟୋ-କାର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ବାପା, ଝିଅ ମୃତ। ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଭତରା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଆଟୋ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଅଟୋରେ ଥିବା ସୁରେନ୍ଦ୍ର ବେହେରା ଏବଂ ତାଙ୍କ ପାଞ୍ଚ ବର୍ଷର ଝିଅ ଆହତ ହୋଇଥିଲେ।

ଏକ ସିମେଣ୍ଟ ମିକ୍ସର ଟ୍ରକ ପ୍ରଥମେ ଏକ ଇଭି ଅଟୋକୁ ଧକ୍କା ଦେବା ପରେ ଏକ କାର୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଏକ ଖାଲି ପଡ଼ିଯାଇଥିଲା। କାର୍‌ରେ କେହି ନ ଥିବାରୁ କାହାର କ୍ଷତି ହୋଇ ନାହିଁ। ମାତ୍ର ସୁରେନ୍ଦ୍ର(କାଳିଆ) ବେହେରା ନାମକ ଜଣେ ଅଟୋଚାଳକ ତାଙ୍କ ନାବାଳିକା ଝିଅ ଶୁଭଶ୍ରୀ ବେହେରାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ବିଳମ୍ବିତ ରାତିରେ ଏକ ଇଭି ଅଟୋକୁ ଧନୁପାଲିର ଚାଳକ ସୁରେନ୍ଦ୍ର ନିଜେ ଚଳାଇ ତାଙ୍କ ଝିଅ ଶୁଭଶ୍ରୀଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସି ଉକ୍ତ ସିମେଣ୍ଟ ମିକ୍ସର ଟ୍ରକ୍‌ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ପିତା ସୁରେନ୍ଦ୍ର ଓ ଝିଅ ଶୁଭଶ୍ରୀ ଗୁରୁତର ହୋଇଥିଲେ। ଦୁଘଟଣାସ୍ଥଳରେ ଥିବା ସାକ୍ଷୀ ଗୋପୀନାଥର ଭାଜପା ମଣ୍ଡଳ ସଭାପତି ବଳରାମ ମହାପାତ୍ର ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରିବା ସହିତ ଗୁରୁତର ଆହତ ନାବାଳିକା ଶୁଭଶ୍ରୀଙ୍କୁ ନିଜ ବାଇକ୍‌ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାସହ ଗୁରୁତର ଆହତ ପିତା କାଳିଆଙ୍କୁ ପ୍ରଥମେ ବୁର୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଜରୁରୀକାଳିନ ବିଭାଗରେ କୌଣସି ଡାକ୍ତର ଉପସ୍ଥିତ ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଧନୁପାଲି ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦ୍ବୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.