ଅହମଦାବାଦ: ଏୟାର ଇଣ୍ଡିଆର ‘ଏଆଇ ୧୭୧’ ବିମାନ ଦୁର୍ଘଟଣାକୁ ବର୍ଷେ ପୂରିଛି। ଗତ ବର୍ଷ ଗୁଜରାଟର ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏହି ବୋଇଂ ୭୮୭ ଡ୍ରିମଲାଇନର ବିମାନଟି ରନୱେରୁ ଉଡ଼ାଣ ଭରିବାର ମାତ୍ର ୩୨ ସେକେଣ୍ଡ ମଧ୍ୟରେ କ୍ରାଶ୍ ହୋଇଯାଇଥିଲା। ଏହି ସାଙ୍ଘାତିକ ଓ ଦୁଃଖଦାୟକ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଙ୍କ କ୍ରୂ ସଦସ୍ୟଙ୍କ ସମେତ ମୋଟ ୨୬୦ ଜଣ ନିରୀହ ଲୋକଙ୍କର ପ୍ରାଣହାନି ଘଟିଥିଲା।
ବର୍ତ୍ତମାନ ଏହି ଦୁର୍ଘଟଣାର ବର୍ଷପୂର୍ତ୍ତି ଅବସରରେ ସାରା ବିଶ୍ୱର ନଜର ଦେଶର ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋର ଆଗାମୀ ଚୂଡ଼ାନ୍ତ ରିପୋର୍ଟ ଉପରେ ଅଟକି ରହିଛି। ପୂର୍ବରୁ ପ୍ରକାଶିତ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଥିଲା ଯେ ଆକାଶକୁ ଉଠିବା ମାତ୍ରେ ବିମାନର ଦୁଇଟି ଯାକ ପ୍ରମୁଖ ଇଞ୍ଜିନର ଫ୍ୟୁଲ୍ କଣ୍ଟ୍ରୋଲ୍ ସୁଇଚ୍ ହଠାତ୍ ବନ୍ଦ ହୋଇଯାଇଥିଲା। ଏହା ଫଳରେ ଇଞ୍ଜିନକୁ ଜେଟ୍ ତେଲ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ଏବଂ ବିମାନଟି ଦ୍ରୁତ ଗତିରେ ତଳକୁ ଖସିପଡ଼ି ଏକ ମେଡିକାଲ କଲେଜ ହଷ୍ଟେଲ ଉପରେ ପିଟି ହୋଇଥିଲା।
ଏହି ସୁଇଚ୍ ବନ୍ଦ ହେବା ପଛର ପ୍ରକୃତ କାରଣକୁ ନେଇ ବର୍ତ୍ତମାନ ବ୍ୟାପକ ବିବାଦ ଦେଖାଦେଇଛି। ବିମାନର ଇଞ୍ଜିନ ଫେଲ୍ୟୁର ନା କୌଣସି ଗୁରୁତର ମାନବୀୟ ତ୍ରୁଟି ଯୋଗୁଁ ଏଭଳି ଘଟିଥିଲା ତାକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଉଛି। କିନ୍ତୁ ପାଶ୍ଚାତ୍ୟ ଗଣମାଧ୍ୟମରେ ବାରମ୍ବାର ଦାବି କରାଯାଉଛି ଯେ ଏହା ମାନବୀୟ ଭୁଲ୍। ଅନ୍ୟପକ୍ଷରେ ବୋଇଂ ବିମାନର ଆଭ୍ୟନ୍ତରୀଣ ବୈଷୟିକ ତ୍ରୁଟି କିମ୍ବା କାଟାଷ୍ଟ୍ରୋଫିକ୍ ଇଲେକ୍ଟ୍ରିକାଲ ସିଷ୍ଟମ ବିଫଳତା ଯୋଗୁଁ ଏହି ସୁଇଚ୍ ଆପେଆପେ ବନ୍ଦ ହୋଇଥାଇପାରେ ବୋଲି ଭାରତୀୟ ପାଇଲଟ୍ ସମୁଦାୟ ଏବଂ ବିମାନ ସୁରକ୍ଷା ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରୁଛନ୍ତି।
ପାଇଲଟଙ୍କ ଶେଷ କଲ୍ ଏବଂ କକପିଟ୍ ଭଏସ୍ ରେକର୍ଡରର ତଥ୍ୟକୁ ଆଧାର କରି ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଆମେରିକାରେ ବିମାନର ଇଞ୍ଜିନଗୁଡ଼ିକର ବିସ୍ତୃତ ବୈଷୟିକ ବିଶ୍ଳେଷଣ କରାଯାଉଥିବାରୁ ଏହି ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବାରେ ସାମାନ୍ୟ ବିଳମ୍ବ ହେଉଛି। ଏହି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିବା ପରେ ହିଁ ସ୍ପଷ୍ଟ ହେବ ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ଥିଲା ନା ଏହା ପଛରେ ବୋଇଂ କମ୍ପାନୀର କୌଣସି ଗୁପ୍ତ ତ୍ରୁଟି ଲୁଚି ରହିଥିଲା।