କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଉଷ୍ଣତା ବୃଦ୍ଧି ପାଇଛି। ତୃଣମୂଳ କଂଗ୍ରେସ (ଟିଏମସି) ର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଆସିଥିବା ଦସ୍ତଖତ ଜାଲିଆତି ଅଭିଯୋଗର ତଦନ୍ତକୁ କୋଲକାତା ସିଆଇଡି ଅଧିକ ଜୋରଦାର କରିଛି। ବିଧାନସଭା ସଚିବାଳୟକୁ ଦିଆଯାଇଥିବା ଏକ ସରକାରୀ ଚିଠିରେ ଦଳର ବିଧାୟକମାନଙ୍କ ନକଲି ଦସ୍ତଖତ କରାଯାଇଥିବା ନେଇ ଏହି ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ ବିରୋଧୀ ଦଳ ନେତା ମନୋନୟନ ପ୍ରକ୍ରିୟାକୁ ନେଇ ବାଚସ୍ପତିଙ୍କୁ ଦିଆଯାଇଥିବା ଏକ ପ୍ରସ୍ତାବ ପତ୍ରରେ ୭୦ ଜଣ ବିଧାୟକଙ୍କ ନାମ ଥିଲା। ତେବେ ଦଳର ଦୁଇଜଣ ବିଧାୟକ ଅଭିଯୋଗ କରିଥିଲେ ଯେ ସେମାନଙ୍କ ସ୍ୱାକ୍ଷର ଜାଲ୍ କରାଯାଇଛି। ଏହି ଅଭିଯୋଗ ଆଧାରରେ କୋଲକାତାର ହେୟାର ଷ୍ଟ୍ରିଟ୍ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଭାର ସିଆଇଡିକୁ ହସ୍ତାନ୍ତର କରାଯାଇଥିଲା। ଅଭିଷେକ ବାନାର୍ଜୀ ଏହି ଚିଠି ପଠାଇଥିବାରୁ ତଦନ୍ତକାରୀ ସଂସ୍ଥାର ସନ୍ଦେହ ଏବେ ତାଙ୍କ ଉପରେ ରହିଛି।
ଏହି ସମ୍ବେଦନଶୀଳ ମାମଲାରେ ସିଆଇଡି ପକ୍ଷରୁ ଅଭିଷେକଙ୍କୁ ବାରମ୍ବାର ସମନ ଜାରି କରାଯାଇଛି। ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବୈଠକ ଏବଂ ଅଫିସିଆଲ୍ ବ୍ୟସ୍ତତା ଦର୍ଶାଇ ସେ ପୂର୍ବରୁ କିଛି ନୋଟିସର ଜବାବ ଦେଇ ହାଜର ହୋଇନଥିଲେ। ଏଥିସହିତ ସିଆଇଡିର ଏକ ଟିମ୍ ତାଙ୍କ କୋଲକାତାସ୍ଥିତ କାଳୀଘାଟ ବାସଭବନରେ ପହଞ୍ଚି ନୋଟିସ୍ ମଧ୍ୟ ପ୍ରଦାନ କରିଛି। ଏହି ସମ୍ପୂର୍ଣ୍ଣ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଅଭିଷେକ ବାନାର୍ଜୀ କୋର୍ଟରେ ଚ୍ୟାଲେଞ୍ଜ କରିବା ସହ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ହାଇକେର୍ଟ ଏହି ମାମଲାରେ ଗିରଫ ଉପରେ ରୋକ୍ ଲଗାଇଛନ୍ତି। କିନ୍ତୁ କୋର୍ଟରେ ହାଜର ହେବାକୁ କହିଥିଲେ। ପରେ ଦିଲ୍ଲୀରୁ ଆସି ସିଆଇଡି ଅଫିସରେ ହାଜର ହୋଇଥିଲେ ଅଭିଷେକ। ପାଖାପାଖି ସାଢେ ପାଞ୍ଚ ଘଣ୍ଟା ତାଙ୍କୁ ଜେରା କରିଛି ସିବିଆଇ। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ସିଆଇଡି ଅଫିସରୁ ବାହାରିଥିବା ଦେଖିବାକୁ ମିଳିଛି।
ସେପଟେ ସିଆଇଡି ଏପର୍ଯ୍ୟନ୍ତ ଏହି ଘଟଣାରେ ପ୍ରାୟ ୧୩ ଜଣ ଟିଏମସି ବିଧାୟକଙ୍କ ବୟାନ ରେକର୍ଡ କରିସାରିଛି। ଦସ୍ତଖତ ବିଶେଷଜ୍ଞଙ୍କ ସହାୟତାରେ ସେହି ଚିଠିରେ ଥିବା ସମସ୍ତ ସ୍ୱାକ୍ଷରଗୁଡ଼ିକର ଅସଲି ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ପଶ୍ଚିମବଙ୍ଗର ଏହି ହାଇପ୍ରୋଫାଇଲ୍ ଜାଲିଆତି ମାମଲା ଆଗାମୀ ଦିନରେ କେଉଁ ମୋଡ଼ ନେଉଛି ଏବଂ ଅଭିଷେକଙ୍କ ସମସ୍ୟା କେତେ ବଢ଼ୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।