ମୁମ୍ବାଇ: ବଲିଉଡର ମହାନ ଅଭିନେତ୍ରୀ ରେଖା ଓ ଭେଟେରାନ ଅଭିନେତା ବିଶ୍ୱଜିତ ଚାଟାର୍ଜିଙ୍କ ବିବାଦୀୟ କିସ ସିନ ଏବେ ବି ଦର୍ଶକଙ୍କ ମନରୁ ଲିଭି ନାହିଁ । ଦୀର୍ଘ ଦିନ ପରେ ବିଶ୍ୱଜିତଙ୍କ ଝିଅ ପଲ୍ଲବୀ ଏହି କିସିଂ ସିନ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ବାପା ଏହି ଦୃଶ୍ୟ କରିବା ପାଇଁ ମନା କରି ଦେଇଥାନ୍ତେ ଅଥବା ରେଖାଙ୍କ ଅନୁମତି ନେଇଥାନ୍ତେ । ସେ ୨ଟା ଯାକ କରି ନ ଥିଲେ । ୧୫ ବର୍ଷୀୟା ରେଖା ଏହି ଘଟଣା ପରେ ଭାଙ୍ଗି ପଡିଥିଲେ । ତାଙ୍କୁ ନିର୍ଦ୍ଦେଶକ କିମ୍ବା ଅନ୍ୟମାନେ ଆଗୁଆ ଏହି ଦୃଶ୍ୟ ସମ୍ପର୍କରେ କିଛି କହି ନ ଥିଲେ ।
ଅବଶ୍ୟ ପଲ୍ଲବୀ ପରେ କହିଛନ୍ତି ବାପାଙ୍କୁ ଏଥିପାଇଁ କେବଳ ଦାୟୀ କରିବା ଠିକ ହେବନି । ସେ ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି ମାତ୍ର କୌଣସି ଅଭିଯୋଗ ଆସିନି । ସେ ମହିଳାମାନଙ୍କୁ ଯଥାସମ୍ଭବ ସମ୍ମାନ ଦେଇଥାନ୍ତି । ତେବେ ଯାହା କିଛି ବି ହେଲା ତାହା ଭୁଲ ଥିଲା । ଆମ ପରିବାର ସହ ରେଖାଙ୍କ ଭଲ ସମ୍ପର୍କ ଥିଲା । ସେ ଆମ ଘରକୁ ଆସିଥାନ୍ତି । ମୋର ତାଙ୍କର ଖେଳିଥାଉ ବୋଲି ପଲ୍ଲବୀ କହିଛନ୍ତି । ବୋଧହୁଏ ଏହି ପାରବାରିକ ସମ୍ପର୍କ ଯୋଗୁ ରେଖା କିସିଂ ସିନକୁ ସହଜରେ ଗ୍ରହଣ କରିପାରି ନ ଥିଲେ ।
ୟାସିର ଉସ୍ମାନ ରେଖା ଦି ଅନଟୋଲ୍ଡ ଷ୍ଟୋରୀ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି । ନିର୍ଦ୍ଦେଶକ ରାଜା ନାୱାର୍ଥ ଆକ୍ସନ କହିବା ପରେ ବିଶ୍ୱଜିତ ଜୋର ଜବରଦସ୍ତ ରେଖାଙ୍କୁ ଚୁମ୍ବନ କରିଥିଲେ । ଏହି ଦୃଶ୍ୟ ବେଶ କିଛି ସମୟ ଚାଲିଥିଲା । ରେଖା ଭୟଭୀତ ଏବଂ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କ ସହ ବିଶ୍ୱାସଘାତକା କରାଯାଇଥିବା ସେ ଅନୁଭବ କରିଥିଲେ । ଦୀର୍ଘଦିନ ସେନ୍ସର ବୋର୍ଡରେ ଅଟକି ରହିବା ପରେ ଅନଜାନ ସଫର ଫିଲ୍ମ ୧୯୭୯ରେ ରିଲିଜ ହୋଇଥିଲା । ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ କରି ନ ଥିଲା । ପରେ ବିଶ୍ୱଜିତଙ୍କ ସହ ରେଖା କହତେ ହେ ମୁଝକୋ ରାଜା ଫିଲ୍ମରେ ଅଭିନୟ କରିଥିଲେ ।
