Latest Odisha News

BREAKING NEWS

ବିନା ଟୋଲ୍‌ରେ ଖୋଲିଲା ହର୍ମୁଜ ପ୍ରଣାଳୀ, ପଢ଼ନ୍ତୁ ତେଲ ଓ ଗ୍ୟାସ ଦର କମିବ କି ନାହିଁ?

ନୂଆଦିଲ୍ଲୀ: ଯେଉଁ ଘଟଣା ପାଇଁ ଏତେ ସବୁ ଅବ୍ୟବସ୍ଥା ଏବେ ତାର ସମାଧାନ ହୋଇଛି। ତେଣୁ ପୁଣିଥରେ ସବୁ କିଛି ସ୍ୱଭାବିକ ହେବ ନା ସେମିତି ରହିବ? ଆମେରିକା-ଇରାନ ଯୁଦ୍ଧ ବନ୍ଦ ହେବ ଏଥିପାଇଁ ଔପଚାରିକ ଘୋଷଣା ଶେଷ ହୋଇଛି। ଏହାପରେ ସାରା ବିଶ୍ୱରେ ଗୋଟିଏ ଚର୍ଚ୍ଚା ଆଉ କେତେ ଦିନ ପରେ କମିବ ତେଲ ଏବଂ ଗ୍ୟାସ ଦର।

ତେବେ ସାଧାରଣ ଗ୍ରାହକଙ୍କ ପାଇଁ ଏବେ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆମେରିକା ଓ ଇରାନ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ଏବଂ ବିନା କୌଣସି ଟୋଲ୍‌ରେ ହର୍ମୁଜ ପ୍ରଣାଳୀ ପୁଣିଥରେ ଖୋଲିବା ନେଇ ଘୋଷଣା ହେବା ପରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଫଳରେ ଖୁବଶୀଘ୍ର ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସ (ଏଲପିଜି) ଦର କମିବାର ସମ୍ଭାବନା ସୃଷ୍ଟି ହୋଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଶାନ୍ତି ଚୁକ୍ତି ଘୋଷଣା ପରେ ବ୍ରେଣ୍ଟ କ୍ରୁଡ୍ ଦର ୩.୯ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୮୪ ଡଲାରରେ ପହଞ୍ଚିଥିବା ବେଳେ ୟୁଏସ୍ କ୍ରୁଡ୍ ୪.୮ ପ୍ରତିଶତ ଖସି ୮୧ ଡଲାର ହୋଇଯାଇଛି, ଯାହାକି ମାର୍ଚ୍ଚ ମାସ ପରଠାରୁ ସର୍ବନିମ୍ନ ସ୍ତର।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ ଦୁନିଆର ପ୍ରମୁଖ ତୈଳ ପରିବହନ ମାର୍ଗ ହୋରମୁଜ୍ ପ୍ରଣାଳୀ ବନ୍ଦ ରହିଥିଲା। ଏହି ଜଳପଥ ଦେଇ ଯିବା ପାଇଁ ବ୍ୟବସାୟିକ ଜାହାଜଗୁଡ଼ିକୁ ପ୍ରାୟ ୨ ନିୟୁତ ଡଲାର ପର୍ଯ୍ୟନ୍ତ ଟୋଲ୍ ଦେବାକୁ ପଡ଼ୁଥିଲା। ଏବେ ଏହା ଖୋଲିବା ଦ୍ୱାରା ଭାରତକୁ ବିଶେଷ ଫାଇଦା ମିଳିବ, କାରଣ ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରିଥାଏ। ପରିବହନ ଖର୍ଚ୍ଚ କମିବା ଫଳରେ ଆମଦାନୀ ବିଲ୍ କମିବ।

ଇରାନ-ଆମେରିକା ଯୁଦ୍ଧ ସମୟରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୮ରୁ ୮.୫ ପ୍ରତିଶତ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଅଶୋଧିତ ତୈଳ ଦର ୮୦ ଡଲାର ସ୍ତରକୁ ଖସି ଆସିଥିବାରୁ ଖୁବଶୀଘ୍ର ତୈଳ କମ୍ପାନୀଗୁଡ଼ିକ ଲିଟର ପିଛା ୩ରୁ ୫ ଟଙ୍କା ପର୍ଯ୍ୟନ୍ତ ଦର କମାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏହା ସହିତ ଏଲପିଜି ସିଲିଣ୍ଡର ଦର ମଧ୍ୟ ହ୍ରାସ ପାଇପାରେ, ଯାହା ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ ବଡ଼ ଆଶ୍ୱସ୍ତି ଦେବ।

Comments are closed.