Latest Odisha News

BREAKING NEWS

ଭୟାବହ ଅଗ୍ନିକାଣ୍ଡ: ୪ଟି ପରିବାରର ୪୦ ଲକ୍ଷ ଟଙ୍କାର ସମ୍ପତି ଜଳି ପାଉଁଶ, ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ

ପୁରୀ: ବ୍ରହ୍ମଗିରି ବ୍ଲକ ରାଏବିଧାର ପଞ୍ଚାୟତ ଅନ୍ତର୍ଗତ ଧର୍ମକିର୍ତ୍ତୀ ଗ୍ରାମରେ ସଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ପ୍ରାୟ ୭ ବଖରା ଘର ଜଳି ପାଉଁଶ ହୋଇଯାଇଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ସମ୍ପତି ଏବଂ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି।

ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଅଗ୍ନି ବିପନ୍ନ ପରିବାର ଲକ୍ଷ୍ମୀଧର ରାଉତ, ବିଣାପାଣି ମାହାନ୍ତି, ରଙ୍କନିଧି ସାହୁ ଏବଂ ସାରଙ୍ଗଧର ସାହୁଙ୍କୁ ଭେଟି ସେମାନଙ୍କ ଦୁଃଖଦ ସ୍ଥିତି ସମ୍ପର୍କରେ ଅବଗତ ହୋଇ ଆଶ୍ୱାସନା ଦେବା ସହିତ ସମବେଦନା ଜଣାଇଛନ୍ତି। ପରିବାରକୁ କିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିବା ସହ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନର ଦେବା ପାଇଁ କହିଛନ୍ତି।

ଦୁଃଖ ଓ ବିପଦର ଏହି ସମୟରେ ଆମେ ସମସ୍ତେ ସେମାନଙ୍କ ସହ ରହିଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ପରିବାରଟି ଶୀଘ୍ର ସ୍ୱାଭାବିକ ଜୀବନକୁ ଫେରି ଆସୁ ବୋଲି ପ୍ରାର୍ଥନା କରିଛନ୍ତି ଦାସବର୍ମା। ଏହି ସମୟରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଜୟ ବେହେରା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ଦଳାଇ, ରାଏବିଧାର ପଞ୍ଚାୟତ ସରପଞ୍ଚ ମାନସ ରଞ୍ଜନ ରାୟ, ସମିତି ସଭ୍ୟା ମିଟୁ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.