ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ବ୍ୟବହୃତ ହେଉଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ରହିଛି ସାଂଘାତିକ ଭୁଲ୍। ସୂଚନା ଅନୁଯାୟୀ, ମୋଟ ୧୬୭୮ଟି ସ୍ଥାନରେ ମୁଦ୍ରଣ ଓ ତଥ୍ୟଗତ ତ୍ରୁଟି ରହିଛି। ଏଥିମଧ୍ୟରୁ କେବଳ ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ଟି ଭୁଲ୍ ଚିହ୍ନଟ ହୋଇଛି, ଯାହାକୁ ନେଇ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବହିରେ ଏତେ ପରିମାଣର ଭୁଲ୍ ଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା, ବର୍ଷ ଆରମ୍ଭରୁ ବହି ମିଳିବାରେ ବହୁ ବିଳମ୍ବ ହୋଇଥିଲା। ଏବେ ପୁଣି ବହି ସଂଶୋଧନ ପାଇଁ ଗଲେ ପାଠପଢ଼ାରେ ଅଧିକ ସମୟ ନଷ୍ଟ ହେବ।
ପାଠ୍ୟପୁସ୍ତକ ଛାପିବା ବେଳେ ଏଭଳି ଦାୟିତ୍ୱହୀନତାକୁ ନେଇ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଭୁଲ ତଥ୍ୟ ଥିବା ବହି ପଢ଼ି ପିଲାମାନଙ୍କର ଶିକ୍ଷାର ମାନ କିପରି ବୃଦ୍ଧି ପାଇବ, ତାକୁ ନେଇ ସାଧାରଣରେ ଗଭୀର ଉଦବେଗ ପ୍ରକାଶ ପାଇଛି। ପିଲାଙ୍କ ଭବିଷ୍ୟତ ସହ ଏଭଳି ଖେଳକୁ କେହି ଗ୍ରହଣ କରିପାରୁନାହାନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ, ଏତେ ବଡ଼ ଭୁଲ କେଉଁ ପରିସ୍ଥିତିରେ ରହିଗଲା ତାହା ବଡ଼ ପ୍ରଶ୍ନ ହୋଇଛି। ତୁରନ୍ତ ଏହାର ସମାଧାନ ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
Comments are closed.