ଭୁବନେଶ୍ୱର: ବିଏମସି ଅଞ୍ଚଳରେ ଦିନକୁ ଦିନ କୁକୁର କାମୁଡା ବଢ଼ି ଚାଲିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନେ ମଧ୍ୟ କୁକୁର କାମୁଡ଼ାର ଶିକାର ହେଉଥିବା ଜଣାଯାଇଛି । କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ତଥ୍ୟ ଅନୁସାରେ, ଏପ୍ରିଲ ଏବଂ ମେ’ ମାସରେ ପ୍ରାୟ ୮ ହଜାର ବ୍ୟକ୍ତି କେବଳ କୁକୁର କାମୁଡ଼ା ପାଇଁ ଟିକା ନେଇ ସାରିଛନ୍ତି । ଏହି ହାରରେ ଯଦି ଦେଖାଯାଏ ପ୍ରତିଦିନ ୧୩୦ରୁ ୧୪୦ ବ୍ୟକ୍ତି କେବଳ କୁକୁର କାମୁଡ଼ାର ଶିକାର ହୋଇ କ୍ୟାପିଟାଲ ହସ୍ପିଟାଲ ଆସୁଛନ୍ତି ।
କ୍ୟାପିଟାଲ ହସ୍ପିଟାଲକୁ ଚଳିତବର୍ଷ ଏପ୍ରିଲରେ ୪ହଜାର ୧୧୬ଜଣ ବ୍ୟକ୍ତି କେବଳ କୁକୁର କାମୁଡ଼ା ପାଇଁ ଟିକା ନେବାକୁ ଆସିଛନ୍ତି । ପ୍ରତିଦିନ ୧୩୦ରୁ ୧୪୦ ବ୍ୟକ୍ତି ଟିକା ପାଇଁ ଆସୁଥିବାବେଳେ ଦିନେ ଦିନେ ୧୬୪ଜଣ ବ୍ୟକ୍ତି ମଧ୍ୟ ଟିକା ନେଇଛନ୍ତି । ସେହିପରି ମେ’ରେ ଅପେକ୍ଷାକୃତ କୁକୁର କାମୁଡ଼ା କମ୍ ରହିଥିଲେ ହେଁ ୩ ହଜାର ୭୬୯ଜଣ ବ୍ୟକ୍ତି ଟିକା ନେଇଛନ୍ତି ।
ଇତିମଧ୍ୟରେ ବିଏମ୍ସି ପକ୍ଷରୁ ୭୫ ପ୍ରତିଶତ ବୁଲା କୁକୁରଙ୍କୁ ଟିକାକରଣ କରାଯାଇଥିବା କୁହାଯାଉଛି । ହେଲେ ଗୋଟିଏ ପଟେ ବିଏମସି ଟିକାକରଣକୁ ନେଇ ଜାତୀୟସ୍ତରରେ ପ୍ରଶଂସିତ ହେଉଥିବାବେଳେ ବିଏମସି ଅଞ୍ଚଳରେ କୁକୁର କାମୁଡ଼ାକୁ ନେଇ ଲୋକେ ଆତଙ୍କିତ ଥିବା ଜଣାଯାଇଛି ।
