ଭୁବନେଶ୍ୱର: ନିଜ ଇଚ୍ଛା ମୁତାବକ ସ୍ଥାନକୁ ବଦଳି କରାଇବା ପାଇଁ ଜଣେ ସରକାରୀ ଯନ୍ତ୍ରୀ ସାଙ୍ଘାତିକ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତିଙ୍କ ନକଲି ଲେଟରପ୍ୟାଡ୍ ଏବଂ ଜାଲ୍ ଦସ୍ତଖତ ପ୍ରସ୍ତୁତ କରି ସରକାରୀ କର୍ମଚାରୀଙ୍କ ବଦଳି ସୁପାରିସ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଜଣେ ସରକାରୀ ଯନ୍ତ୍ରୀଙ୍କୁ ଅଟକ ରଖିଛି। ଅଟକ ସରକାରୀ ବାବୁ ଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଲକ୍ଷ୍ମଣ ହେମ୍ବ୍ରମ। ଭୁବନେଶ୍ୱର କ୍ୟାପିଟାଲ ଥାନା ପୋଲିସ ତାଙ୍କୁ କେନ୍ଦୁଝରରୁ ଉଠାଇ ଆଣି ଏଠାରେ ଅଟକ ରଖିବା ସହ ଘନଘନ ଜେରା ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନାମରେ ଏକ ଜାଲ୍ ସରକାରୀ ଚିଠି ପ୍ରସ୍ତୁତ କରାଯାଇଥିଲା। ଏହି ଚିଠି ମାଧ୍ୟମରେ କିଛି ସରକାରୀ କର୍ମଚାରୀଙ୍କୁ ମନପସନ୍ଦର ସ୍ଥାନକୁ ବଦଳି କରାଇବା ପାଇଁ ଅଫିସିଆଲ୍ ସୁପାରିସ କରାଯାଇଥିବା ଦର୍ଶାଯାଇଥିଲା। ଏଥିପାଇଁ ଅବିକଳ ଉପବାଚସ୍ପତିଙ୍କ ଭଳି ନକଲି ଦସ୍ତଖତ ଓ ଏକ ଜାଲ୍ ଅଫିସିଆଲ୍ ଲେଟରପ୍ୟାଡ୍ ବ୍ୟବହାର କରାଯାଇଥିଲା। ତେବେ ବିଧାନସଭା ସଚିବାଳୟ ସ୍ତରରେ ଏହି ବଡ଼ ଧରଣର ଜାଲିଆତି ସମ୍ପର୍କରେ ଜଣାପଡ଼ିବା ପରେ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) କ୍ୟାପିଟାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଅଭିଯୋଗକୁ ଭିତ୍ତି କରି ତୁରନ୍ତ ମାମଲା ରୁଜୁ କରିବା ସହ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି ଅଭିଯୁକ୍ତ ଯନ୍ତ୍ରୀଙ୍କୁ କାବୁ କରିଛି।
ଏହି ବଦଳି ର଼୍ୟାକେଟ୍ କେବଳ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ମଧ୍ୟରେ ସୀମିତ ନାହିଁ, ବରଂ ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ପୋଲିସ ଆଶଙ୍କା କରୁଛି। ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ (ଜେଇଇ) ମୋନାଲିସା ବେହେରାଙ୍କର ମଧ୍ୟ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବର୍ତ୍ତମାନ ମୋନାଲିସାଙ୍କ ଭୂମିକାକୁ ନେଇ ପୋଲିସ ଖୋଳତାଡ଼ ଚଳାଇଥିବା ବେଳେ ସେ ଫରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ଏହି ନକଲି ଚିଠି କେଉଁଠି ପ୍ରସ୍ତୁତ ହେଲା, ଏହି ଜାଲିଆତି ପଛରେ ସଚିବାଳୟର କୌଣସି କର୍ମଚାରୀ କିମ୍ବା ଆଉ କେଉଁ ବଡ଼ ମୁଣ୍ଡର ହାତ ରହିଛି ଏବଂ ଏହି ବଦଳି ସୁପାରିସ ପାଇଁ କୌଣସି ମୋଟା ଅଙ୍କର ଆର୍ଥିକ କାରବାର ହୋଇଛି କି ନାହିଁ, ସେ ସମସ୍ତ ଦିଗକୁ ନେଇ କମିଶନରେଟ୍ ପୋଲିସ ଛାନଭିନ୍ କରୁଛି। ଅଟକ ଯନ୍ତ୍ରୀଙ୍କ ବୟାନ ଆଧାରରେ ଖୁବ୍ଶୀଘ୍ର ଏହି ରାକେଟରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
