ଭୁବନେଶ୍ବର: VB-G RAM G ଗ୍ରାମୀଣ ଯୋଜନାକୁ ସରକାରୀ ମୋହର। ଓଡିଶାରେ ଲାଗୁ ହେଲା ଭିବି-ଜି-ରାମଜି ଗ୍ରାମୀଣ ଯୋଜନା। ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ‘ବିକଶିତ ଭାରତ-ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)’ ଯୋଜନାର ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଥିବାବେଳେ ବର୍ତ୍ତମାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିସ୍ତୃତ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଆସନ୍ତା ଜୁଲାଇ ୧ ରୁ ଯୋଜନାଟି ରାଜ୍ୟରେ ଲାଗୁ ହେବ।
ଏହା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ବର୍ଷକୁ ୧୨୦ ଦିନର ଅକୁଶଳ ଶ୍ରମଭିତ୍ତିକ ରୋଜଗାର ନିଶ୍ଚିତ କରାଯିବ। ଆବେଦନର ୧୫ ଦିନ ମଧ୍ୟରେ କାମ ଯୋଗାଇ ଦିଆନଗଲେ ବେକାର ଭତ୍ତା ପ୍ରଦାନର ବ୍ୟବସ୍ଥା ରହିଛି। ସେହିପରି ମଜୁରି ପ୍ରଦାନରେ ବିଳମ୍ବ ହେଲେ କ୍ଷତିପୂରଣ ଦେବାକୁ ମଧ୍ୟ ସ୍ପଷ୍ଟ ବ୍ୟବସ୍ଥା କରାଯାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (MGNREGS)ର ଅନୁଭୂତିକୁ ଆଧାର କରି ଏହି ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ କେବଳ ରୋଜଗାର ସୃଷ୍ଟି ନୁହେଁ, ବରଂ ଗ୍ରାମୀଣ ଭିତ୍ତିଭୂମି ବିକାଶ, ଜଳ ସଂରକ୍ଷଣ, କୃଷି ଉତ୍ପାଦନ ବୃଦ୍ଧି, ଜୀବିକାମୂଳକ ସମ୍ପତ୍ତି ସୃଷ୍ଟି ଓ ଜଳବାୟୁ-ସହନଶୀଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି। ଯୋଜନାକୁ ‘ବିକଶିତ ଭାରତ-୨୦୪୭’ ଦୃଷ୍ଟିକୋଣ ସହ ସମନ୍ୱୟ କରାଯାଇଥିବା ସରକାର କହିଛନ୍ତି।
ଯୋଜନାର କାର୍ଯ୍ୟକାରୀ ରୂପାୟନ ପାଇଁ ରାଜ୍ୟ ସ୍ତରରେ ‘ଓଡ଼ିଶା ରାଜ୍ୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ପରିଷଦ’ ଓ ‘ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟି’ ଗଠନ କରାଯିବ। ଜିଲ୍ଲାପାଳମାନେ ଜିଲ୍ଲା କାର୍ଯ୍ୟକ୍ରମ ସମନ୍ୱୟକାରୀ ଭାବେ ଯୋଜନାର ରୂପାୟନ ତଦାରଖ କରିବେ। ସେହିପରି ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକୁ ଯୋଜନା ପ୍ରସ୍ତୁତି, କାର୍ଯ୍ୟାନ୍ୱୟନ ଓ ସାମାଜିକ ନିରୀକ୍ଷଣରେ କେନ୍ଦ୍ରୀୟ ଭୂମିକା ଦିଆଯାଇଛି। ସରକାର ଡିଜିଟାଲ୍ ନିରୀକ୍ଷଣ ଉପରେ ମଧ୍ୟ ବିଶେଷ ଜୋର ଦେଇଛନ୍ତି। ବାୟୋମେଟ୍ରିକ୍ ଉପସ୍ଥିତି, ଜିଓ-ଟ୍ୟାଗିଂ, ଏମ୍ଆଇଏସ୍ ଆଧାରିତ ମନିଟରିଂ, ସାମାଜିକ ନିରୀକ୍ଷଣ ଓ ଅଭିଯୋଗ ନିବାରଣ ବ୍ୟବସ୍ଥା ଯୋଜନାରେ ସାମିଲ କରାଯାଇଛି। ଫଳରେ ଗ୍ରାମୀଣ ବିକାଶ ଯୋଜନାରେ ସ୍ୱଚ୍ଛତା ବୃଦ୍ଧି ପାଇବ ।
