ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଭାଗର ଉଚ୍ଚ ପଦବୀରେ ଥାଇ ସରକାରୀ କ୍ଷମତାର ଅପବ୍ୟବହାର କରିବା ବରିଷ୍ଠ ଅଫିସରଙ୍କୁ ମହଙ୍ଗା ପଡ଼ିଛି। ଜିଆର୍ପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଭିଡ଼ହତ୍ୟା ଘଟଣାରେ ବୁଧବାର ଆଇପିଏସ୍ ଦୟାଲ୍ ଗଙ୍ଗୱାର ସସ୍ପେଣ୍ଡ୍ ହୋଇଛନ୍ତି । ପୋଲିସ କର୍ମଚାରୀଙ୍କୁ ନିଜ ବାସଭବନରେ ଚାକର ଭଳି ଖଟାଇବା ଅଭିଯୋଗରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ତୁରନ୍ତ ଚାକିରିରୁ ନିଲମ୍ବିତ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏହି ପରିପ୍ରେକ୍ଷୀରେ ମୃତ ସୌମ୍ୟଙ୍କ ବାପା ଦୁଃଶାସନ ସ୍ୱାଇଁ ଓ ମା’ କବିତା ସ୍ୱାଇଁ ମୁହଁ ଖୋଲି ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ ଦାବି କରିଛନ୍ତି। ବାପା ଦୁଃଶାସନ କହିଛନ୍ତି, ସସ୍ପେଣ୍ଡ୍ କରି କ’ଣ ବଡ଼ କଥା କରିଦେଲେ? ୬ ମାସ ପରେ ପୁଣି ଚାକିରିରେ ଯୋଗ ଦେବେ। ଏବେ ଅଧା ଦରମା ପାଇବେ। ଲାଭ କ’ଣ ହେଲା? ଗଙ୍ଗୱାରଙ୍କୁ ସସ୍ପେଣ୍ଡ୍ ନୁହେଁ ବରଂ ଚାକିରିରୁ ବହିଷ୍କାର କରାଯାଉ। ଜେଲ୍ ଦଣ୍ଡ ଦିଆଯାଉ। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଯେ ସେ ଆମ ପୁଅର ହତ୍ୟା ଘଟଣାକୁ ଏତେ ଗୁରୁତ୍ୱର ସହ ନେଇଛନ୍ତି। କିନ୍ତୁ ଆମେ ପୂର୍ବରୁ ବି କହିଥିଲୁ, ଏବେ ବି କହୁଛୁ କି କ୍ରାଇମବ୍ରାଞ୍ଚ୍ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହେଁ। ଆମେ ଘଟଣା ପରଠାରୁ ସିବିଆଇ ତଦନ୍ତ ଦାବି କରିଆସୁଛୁ। ପୁଅର ମୃତ୍ୟୁ ପଛରେ ବହୁତ ବଡ଼ ଷଡଯନ୍ତ୍ର ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସିବିଆଇ ତଦନ୍ତରୁ ଆମକୁ ସହଯୋଗ କରନ୍ତୁ ବୋଲି ବାପା ଦାବି କରିଛନ୍ତି ।
ସୌମ୍ୟ ଜୀବିତ ଥିବାବେଳେ ଗଙ୍ଗୱାରଙ୍କ ଘରେ ବୋଲହାକ କରୁଥିବାର ଅଭିଯୋଗ ଉଠିଥିଲା। ଏମିତିକି ଆଇପିଏସ୍ ଜଣକ ସୌମ୍ୟଙ୍କୁ ନିର୍ଯାତନା ଦେଉଥିବା ନେଇ ତାଙ୍କ ପରିବାର ଲୋକ ଦୋଷାରୋପ କରିଥିଲେ। ଏହି ମାମଲାରେ ବିବାଦରେ ଛନ୍ଦି ହେବା ପରେ ଗଙ୍ଗୱାରଙ୍କ ଅଡୁଆ ବଢ଼ିଥିଲା। ଗତମାସ ୨୫ ତାରିଖରେ ପ୍ରଥମେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଗୃହ ବିଭାଗର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଥିଲା। ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ଗଙ୍ଗୱାର ରେଳବାଇ ଏବଂ ଉପକୂଳ ସୁରକ୍ଷା ବିଭାଗର ଏଡିଜିପି ପଦବୀରେ ଥିବା ସମୟରେ କୌଣସି ସରକାରୀ ଅନୁମତି ନନେଇ ସରକାରୀ ରେଳବାଇ ପୋଲିସ ବା ଜିଆରପିର ୮ ଜଣ କର୍ମଚାରୀଙ୍କୁ ନିଜ ଘର କାମରେ ଲଗାଇଥିଲେ। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସରକାରୀ ବଳକୁ ବ୍ୟବହାର କରିଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ତାର ରିପୋର୍ଟରେ ଦର୍ଶାଇଥିଲା। ଏହି ପ୍ରମାଣ ସାମ୍ନାକୁ ଆସିବା ପରେ ସରକାର ଏହାକୁ କାର୍ଯ୍ୟାନୁଷ୍ଠାନ ଭାବେ ଗ୍ରହଣ କରିଛନ୍ତି। ସର୍ବଭାରତୀୟ ସେବା ଆଚରଣ ବିଧି ଅନୁଯାୟୀ ତାଙ୍କ ବିରୋଧରେ ଏହି ତତ୍କାଳ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି।
