Latest Odisha News

BREAKING NEWS

ବିଶ୍ୱବିଦ୍ୟାଳୟରେ ପ୍ରୁଫ୍-ସଂଶୋଧନ ପାଠ୍ୟକ୍ରମ ଖୋଲିବାକୁ ଦାବି

କଟକ: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ପ୍ରୁଫ୍-ସଂଶୋଧନ ପାଠ୍ୟକ୍ରମ ଖୋଲିବା ପାଇଁ ଦାବି ହୋଇଛି । ବିଗତ ଦୁଇ ବର୍ଷ ଧରି ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକଙ୍କୁ ପୁରସ୍କୃତ କରିଆସୁଥିବା ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ପକ୍ଷରୁ ଏହି ଦାବି କରାଯାଇଛି ।

ନ୍ୟାସର ଆବାହକ ଦୀପକ କୁମାର ମହାନ୍ତ ଆଜି ଏଠାରେ ଏକ ବିବୃତିରେ କହିଛନ୍ତି ଯେ, ପ୍ରୁଫ୍-ସଂଶୋଧନ ପୁସ୍ତକ ପ୍ରକାଶନର ଏକ ଅବିଛେଦ୍ୟ ଅଙ୍ଗ ହୋଇଥିବାରୁ ଉନ୍ନତ ଦେଶଗୁଡ଼ିକରେ ଏହା ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । ମାତ୍ର ଆମେ ପ୍ରକାଶନର ଏହି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅବହେଳା କରୁଥିବା ଯୋଗୁଁ ଆମର ପ୍ରକାଶିତ ପୁସ୍ତକଗୁଡ଼ିକରେ ତ୍ରୁଟି ଭରିଯାଉଛି । ସମ୍ପ୍ରତି ଏସ୍‌.ସି.ଇ.ଆର୍‌.ଟି. ପ୍ରକାଶ କରିଥିବା ପାଠ୍ୟପୁସ୍ତକଗୁଡ଼ିକର ଆଦୌ ପ୍ରୁଫ୍-ସଂଶୋଧନ କରାଯାଇ ନଥିବା ଅଭିଯୋଗ କରି ସେସବୁରେ ଅସଂଖ୍ୟ ତ୍ରୁଟି ରହିଥିବା ସେ ଦର୍ଶାଇଛନ୍ତି ।

ଶ୍ରୀ ମହାନ୍ତ ପୁଣି କହିଛନ୍ତି ଯେ, ଦିନକୁଦିନ ଓଡ଼ିଆ ଭାଷାରେ ଦକ୍ଷ ପ୍ରୁଫ୍-ସଂଶୋଧକଙ୍କ ସଂଖ୍ୟା କମିଯାଉଛି । ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ପ୍ରୁଫ୍-ସଂଶୋଧନକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଓଡ଼ିଆ ଭାଷାରେ ପ୍ରୁଫ୍-ସଂଶୋଧନର ସାର୍ଟିଫିକେଟ୍ ପାଠ୍ୟକ୍ରମ ପ୍ରଚଳନ କରିବା ପାଇଁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.