Latest Odisha News

BREAKING NEWS

ଜେଲ୍‌ ଗେଟ୍‌ରୁ ଗ୍ୟାଙ୍ଗଷ୍ଟରଙ୍କ ‘THAR’ Welcome: ଆକ୍ସନ ମୋଡ୍‌ରେ ଗୃହ ବିଭାଗ!

କଟକ: କଟକ ଚୌଦ୍ୱାର ସର୍କଲ ଜେଲ୍ ପରିସରରେ ଘଟିଯାଇଛି ଏକ ସାଂଘାତିକ ଘଟଣା, ଯାହା ଓଡ଼ିଶା କାରାଗାର ବିଭାଗର ସୁରକ୍ଷା ଓ ନିୟମାବଳୀ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଳା ଗ୍ଲାସ୍ ଲାଗିଥିବା ଏକ ବିଳାସପୂର୍ଣ୍ଣ ‘ମହିନ୍ଦ୍ରା ଥାର୍’ ଗାଡ଼ି ସମସ୍ତ ସୁରକ୍ଷା ବଳୟକୁ ଭାଙ୍ଗି ସିଧାସଳଖ ଜେଲ୍‌ର ଭିତର ଗେଟ୍ ପର୍ଯ୍ୟନ୍ତ କେମିତି ପ୍ରବେଶ କଲା ଏବଂ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସେଠାରେ ‘ଭିଆଇପି’ ଷ୍ଟାଇଲ୍‌ରେ ସ୍ୱାଗତ କରାଗଲା, ତାହାକୁ ନେଇ ଏବେ ସାରା ରାଜ୍ୟରେ ହଲଚଲ ସୃଷ୍ଟି ହୋଇଛି। ଏହି ହାଇ-ପ୍ରୋଫାଇଲ୍ ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଗୃହ ବିଭାଗ ଓ ଜେଲ୍ ପ୍ରଶାସନ ତୁରନ୍ତ ଆକ୍ସନ ମୋଡ୍‌କୁ ଆସିଛନ୍ତି। ନିୟମ ଉଲ୍ଲଂଘନ ଅଭିଯୋଗରେ ଜେଲ୍‌ର କେତେକ ବରିଷ୍ଠ ଅଧିକାରୀ ଓ ସୁରକ୍ଷାକର୍ମୀ ଏବେ ସ୍କାନରକୁ ଆସିଛନ୍ତି।

 

ସୂଚନା ଅନୁଯାୟୀ, ଚୌଦ୍ୱାର ଜେଲ୍‌ରେ ଜେଲ୍ ମାନୁଆଲ୍ ଅନୁସାରେ କୌଣସି ବି ବାହାର ବେସରକାରୀ ଗାଡ଼ିକୁ ମୁଖ୍ୟ ଫାଟକ ପାର୍ କରି ଭିତର ସମ୍ବେଦନଶୀଳ ଅଞ୍ଚଳକୁ ଯିବା ସମ୍ପୂର୍ଣ୍ଣ ନିଷେଧ। ମାତ୍ର ଜଣେ ଜାମିନ ପ୍ରାପ୍ତ ଗ୍ୟାଙ୍ଗଷ୍ଟର ଜେଲ୍‌ରୁ ମୁକୁଳିବା ସମୟରେ ତାଙ୍କର କିଛି ପ୍ରଭାବଶାଳୀ ସହଯୋଗୀ ସମସ୍ତ ନିୟମକୁ ବେଖାତିର କରି ଗାଡ଼ିକୁ ଜେଲ୍ ଭିତରକୁ ନେଇଯାଇଥିଲେ।

 

ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିବା ପରେ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କାହା ଅନୁମତିରେ ଏବଂ କେଉଁ ସରକାରୀ ଅଧିକାରୀଙ୍କ ସଲାସୁତୁରାରେ ଏହି ବେଆଇନ ଗାଡ଼ିକୁ ଭିତରକୁ ଛଡ଼ାଯାଇଥିଲା, ତାହା ଜାଣିବା ପାଇଁ ଜେଲ୍ ପରିସରର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

 

ଡ୍ୟୁଟିରେ ଥିବା ଜେଲ୍ ୱାର୍ଡର ଏବଂ ଗେଟ୍ କିପରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ଗ୍ୟାଙ୍ଗଷ୍ଟରଙ୍କ ଲୋକମାନେ ନିଜର ପ୍ରଭାବ ଦେଖାଇ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଚାପରେ ରଖିଥିଲେ କିମ୍ବା କୌଣସି ବଡ଼ ଧରଣର ଆର୍ଥିକ କାରବାର ବଳରେ ଏହି ସୁଯୋଗ ପାଇଥିଲେ।

 

ଜେଲ୍‌ ଭଳି ଅତି ସମ୍ବେଦନଶୀଳ ସ୍ଥାନରେ ଏଭଳି ବେପରୁଆ କାର୍ଯ୍ୟକୁ ସରକାର ଅତି ଗମ୍ଭୀରତାର ସହ ନେଇଛନ୍ତି। ଚୌଦ୍ୱାର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଠାରୁ ଏ ନେଇ କୈଫିୟତ ତଲବ କରାଯାଇଛି। ଏହି ସୁରକ୍ଷା ତ୍ରୁଟି ପାଇଁ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ କରାଯିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ ମାମଲା ରୁଜୁ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ଚେତାବନୀ ଦେଇଛନ୍ତି।

 

ଅନ୍ୟପଟେ କମିଶନରେଟ୍ ପୋଲିସ ମଧ୍ୟ ସେହି ବେଆଇନ କଳା ଗ୍ଲାସ୍ ଲାଗିଥିବା ଗ୍ରୀନ୍ ‘ଥାର୍’ ଗାଡ଼ିର ମାଲିକ ଓ ଏହାର ଚାଳକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ମୋଟର ଯାନ ଆଇନ ତଥା ଜେଲ୍ ପରିସରରେ ବେଆଇନ ଅନୁପ୍ରବେଶ ଅଧୀନରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

Leave A Reply

Your email address will not be published.