Illegal Fly Ash Dumping:ପାଉଁଶ ମାପିଆଙ୍କ ବିରୋଧରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଉପବାଚସ୍ପତିଙ୍କ ଚିଠି; ସ୍ୱତନ୍ତ୍ର ସ୍ପେଶାଲ୍ ଟାସ୍କ ଫୋର୍ସ ଗଠନ କରିବାକୁ ପ୍ରସ୍ତାବ
ସୁନ୍ଦରଗଡ: ବେଆଇନ ଭାବେ ଚାଲିଛି ଫ୍ଲାଏ ଆସ୍ ପରିବହନ ଏବଂ ଅନିୟନ୍ତ୍ରିତ ଡମ୍ପିଂ । ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ଭାବେ ଫ୍ଲାଏ ଆସ୍ ପରିବହନ ଓ ବିଭିନ୍ନ ସ୍ଥାନରେ ଅନିୟନ୍ତ୍ରିତ ଭାବେ ଗଦାକରି ପକାଯାଉଥିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସେ ଚିଠି ଲେଖି ତୁରନ୍ତ କଡ଼ା ପଦକ୍ଷେପ ନେବାକୁ କହିଛନ୍ତି ।
ଅନିୟନ୍ତ୍ରିତ ଭାବେ ଫ୍ଲାଏ ଆସ୍ ଗଦା କରାଯିବା ଫଳରେ ପରିବେଶ ଗୁରୁତର ଭାବେ ପ୍ରଦୂଷିତ ହେଉଛି । ଏହାର ପ୍ରଭାବରେ ସ୍ଥାନୀୟ ଚାଷଜମି ଏବଂ ଜଳାଶୟଗୁଡ଼ିକ ନଷ୍ଟ ହେଉଛି । ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି, ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେଣୁ ଜିଲ୍ଲାର ତିନୋଟି ଉପଖଣ୍ଡରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ଉପଜିଲ୍ଲାପାଳ ।
ଏହି ଟାସ୍କ ଫୋର୍ସରେ ପୋଲିସ, ଜଙ୍ଗଲ, ରାଜସ୍ୱ, ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ ସାମିଲ କରାଯିବା ସହ ପର୍ଯ୍ୟାପ୍ତ ମାନବସମ୍ବଳ ଓ ସ୍ୱତନ୍ତ୍ର ଯାନବାହନ ଯୋଗାଇ ଦିଆଯିବାକୁ ସେ ପରାମର୍ଶ ଦେଇଛନ୍ତି ।
ଚିଠିରେ ଆହୁରି କୁହାଯାଇଛି ଯେ, ଟାସ୍କ ଫୋର୍ସ ୨୪ ଘଣ୍ଟିଆ ତିନି ପାଳିରେ କାର୍ଯ୍ୟ କରି ନିୟମିତ ପାଟ୍ରୋଲିଂ, ସମ୍ବେଦନଶୀଳ ସ୍ଥାନର ନଜରଦାରି, ବିନା ଅନୁମତିରେ ଫ୍ଲାଏ ଆଶ୍ ପରିବହନ କରୁଥିବା ଗାଡ଼ିକୁ ଅଟକାଇବା, ବେଆଇନ ଡମ୍ପିଂ ରୋକିବା, ଅପରାଧୀଙ୍କ ଯାନବାହନ ଜବତ କରିବା, ଆଇନ ଅନୁଯାୟୀ ଜରିମାନା ଆଦାୟ କରିବା ସହ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ କୁହାଯାଇଛି ।
ସେହିପରି ଚିହ୍ନଟ ସ୍ଥାନଗୁଡ଼ିକରେ ଆକସ୍ମିକ ଚଢ଼ାଉ କରିବା ଓ ପ୍ରତି ସପ୍ତାହରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦାଖଲ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଏହାସହ ଜିଲ୍ଲାସ୍ତରରେ ଏକ ମନିଟରିଂ ବ୍ୟବସ୍ଥା ଗଠନ କରିବା ଏବଂ ତହସିଲଦାର, ଉପଜିଲ୍ଲାପାଳ ଓ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଏହି ଅଭିଯାନର ତଦାରଖ ଦାୟିତ୍ୱ ଦେବାକୁ ଉପବାଚସ୍ପତି ପ୍ରସ୍ତାବ ଦେଇଛନ୍ତି ।
