ଅନୁଗୁଳ:ଶେଷରେ ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା । ଛେଣ୍ଡିପଦା ଅଞ୍ଚଳରେ ୩ ଦିନରେ ୩ ମନ୍ଦିରରୁ ହେଲାଣି ଚୋରି । ବଡକଥା ହେଲା ସିସିଟିଭି ଥିବା ମନ୍ଦିରରୁ ଚୋରି ହୋଇଛି,ସିସିଟିଭିକୁ ବି ଖାତିର ନାହିଁ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ ମନ୍ଦିରରୁ ହୁଣ୍ତିଭାଙ୍ଗି ପୁଣି ଆଜି ଚୋରି ହୋଇଛି । ତେବେ ଗ୍ରାମବାସୀ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୬ମାସ ହେବ ହୁଣ୍ତି ଖୋଲା ହୋଇ ନଥିବାବେଳେ ୧ ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଅଳଙ୍କାର ରହିଥିବ ।
ଆଜି ଲୋକମାନେ ମନ୍ଦିରକୁ ଫୁଲ ତୋଳିବାକୁ ଆସିଥିବା ବେଳେ ମନ୍ଦିର ହୁଣ୍ତି ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏହାପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଛେଣ୍ଡିପଦା ପୋଲିସ ନିକଟରେ ଅଭିଯୋଗ କରାଯାଇଛି।
ସେହିପରି ଗତକାଲି ବାଗେଡ଼ିଆ ଥାନା ପାତ୍ରପଡ଼ା ମାଆ ବାୟାଣୀ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଚୋରି ହେଉଥିବା ଚିତ୍ର ସିସିଟିଭିରେ କଏଦ ହୋଇଥିଲା । ସେହିଭଳି ୧ ତାରିଖରେ ଜରପଡା ଥାନା ତୁକୁଡା କାଳୀ ମନ୍ଦିରରୁ ମଧ୍ୟ ସମାନ ଢଙ୍ଗରେ ଚୋରି ହୋଇଛି ।