ଅନୁଗୁଳ:ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳି ହରିଣ ମାରି ମାଂସ ରାନ୍ଧି ଖାଉଥିଲେ । ଏହି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡ଼ା ରେଞ୍ଜରେ । ତେବେ ବନ ବିଭାଗ ଚଢ଼ାଉ କରି ୨ ଜଣ ବନ ଜଗୁଆଳି ଏବଂ ୨ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନଙ୍କ ମଧ୍ୟରେ ୨ ଜଣ ବନ ଜଗୁଆଳି ଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି।
ସୂଚନାନୁସାରେ, ବିଶେଷ ସୂଚନା ଆଧାରରେ ବନ ବିଭାଗର ଏକ ଟିମ୍ ଟିକରପଡ଼ା ରେଞ୍ଜରେ ଚଢ଼ାଉ କରିଥିଲା। ସେଠାରେ ଚାରିଜଣ ବ୍ୟକ୍ତି ହରିଣ ମାଂସ ରାନ୍ଧି ଖାଉଥିବା ବେଳେ ଧରା ପଡିଥିଲେ । ଘଟଣାସ୍ଥଳରୁ ରନ୍ଧା ହରିଣ ମାଂସ ସହ ମୃତ ହରିଣର ମୁଣ୍ଡ ଜବତ କରାଯାଇଛି। ଏହାସହ ଶିକାରରେ ବ୍ୟବହୃତ ସାମଗ୍ରୀ ଥିବା ସନ୍ଦେହରେ କିଛି ଜିନିଷ ମଧ୍ୟ ଜବତ କରାଯାଇଛି।
ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ପଚରାଉଚରା କରାଯାଉଛି ।