ଭୁବନେଶ୍ୱର: ଭୁବନେଶ୍ୱରର ଡେପୁଟି ପୋଲିସ କମିଶନର (ଡିସିପି) ଜଗମୋହନ ମୀନା ଇସ୍ତଫାପତ୍ର ଦେଇଛନ୍ତି। ଏନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ।
ଡିଜିପିଙ୍କ ଅନୁଯାୟୀ, ୨୦୧୩ ବ୍ୟାଚ୍ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି। ସେ ବର୍ତ୍ତମାନ ଭୁବନେଶ୍ବରରେ ଆଇନ ଶୃଙ୍ଖଳାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ।
ଭୁବନେଶ୍ୱରରେ ତାଙ୍କର ନିଯୁକ୍ତି ପୂର୍ବରୁ ସେ କଟକର ଡିସିପି, ଅନୁଗୁଳର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍ପି) ଏବଂ ଗଞ୍ଜାମର ଏସ୍ପି ଭାବରେ ସଫଳତାର ସହ କାର୍ଯ୍ୟ କରିଥିଲେ।
ତାଙ୍କର ହଠାତ୍ ଇସ୍ତଫା ପ୍ରଶାସନିକ ମହଲରେ ଆଲୋଚନାର କେନ୍ଦ୍ର ପାଲଟିଛି। ତଥାପି ଡିଜିପି ସ୍ପଷ୍ଟ କରିଛନ୍ତି ଯେ ନିଷ୍ପତ୍ତିଟି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ଏହାର କୌଣସି ସରକାରୀ ପ୍ରସଙ୍ଗ ସହିତ ସମ୍ପର୍କ ନାହିଁ। ତେବେ ଇସ୍ତଫାପତ୍ର ରାଜ୍ୟ ସରକାରଙ୍କୁ ପଠାଯାଇଥିବା ଜଣାପଡିଛି। ୨୫ ଦିନ ତଳୁ ସେ ଇସ୍ତଫାପତ୍ର ପଠାଇ ସାରିଥିବା ସୂଚନା ମିଳିଛି। ତେବେ ଯଦି ତାଙ୍କର ଇସ୍ତଫାପତ୍ର ସରକାର ମଞ୍ଜୁର କରନ୍ତି, ତାହେଲେ ୩୭ ବର୍ଷୀୟ ଆଇପିଏସ୍ ଅଫିସର ଘରୋଇ ସେକ୍ଟରରେ ଚାକିରି କରିପାରନ୍ତି।