ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଛାତିଥରା ‘ହିଟ୍ ଆଣ୍ଡ ରନ୍’ ଘଟଣା ସାମ୍ନାକୁ ଆସିଛି। ବେପରୁଆ ଗାଡ଼ି ଚାଳନା ପାଇଁ ଆଉ ଜଣେ ନିରୀହ ଯୁବକଙ୍କୁ ନିଜ ଜୀବନ ହାରିବାକୁ ପଡ଼ିଛି। ସିଆରପି ଛକ ସ୍ଥିତ ଓଭରବ୍ରିଜ୍ ଉପରେ ଏକ ଅଜଣା ଦ୍ରୁତଗତି ଗାଡ଼ିର ଧକ୍କାରେ ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି।
ମୃତକ ଯୁବକ ଜଣକ ପଶ୍ଚିମବଙ୍ଗର ସୌମ୍ୟ ରଞ୍ଜନ ମାନା ବୋଲି ଚିହ୍ନଟ ହୋଇଛନ୍ତି। ସେହିପରି ଗୁରୁତର ଆହତ ହୋଇଥିବା ତାଙ୍କ ସାଥୀ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ଜ୍ୟୋତି ରଞ୍ଜନ ସାହୁ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଉଭୟ ସୌମ୍ୟ ରଞ୍ଜନ ଏବଂ ଜ୍ୟୋତି ରଞ୍ଜନ ଏକ ବାଇକ୍ ଯୋଗେ ସିଆରପି ଛକ ଓଭରବ୍ରିଜ୍ ଦେଇ କେଉଁଆଡେ ଯାଉଥିଲେ। ହଠାତ୍ ପଛପଟୁ ଏକ ଦ୍ରୁତଗତିରେ ଆସୁଥିବା ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଯୁବକ ବାଇକ୍ରୁ ଛିଟିକି ପଡ଼ି ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଦୁର୍ଘଟଣା ଘଟାଇବା ପରେ ଅଟକିବା ପରିବର୍ତ୍ତେ ଗାଡ଼ି ଚାଳକ ସେଠାରୁ ଚମ୍ପଟ ମାରିଥିଲା।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଗୁରୁତର ଯୁବକଙ୍କୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତର ସୌମ୍ୟ ରଞ୍ଜନ ମାନାଙ୍କୁ ମୃତ ଘୋଷଣା କରିଥିଲେ। ଆହତ ଜ୍ୟୋତି ରଞ୍ଜନ ସାହୁଙ୍କର ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସା ଚାଲିଛି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।